ସଂକ୍ରମଣ ଉପରମୁହାଁ: କେରଳ ସ୍ଥିତି ସଂଗିନ

ମୁମ୍ବାଇରେ ଲଗାତାର ୮ ଦିନ ଧରି ସଂକ୍ରମଣ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ଦେଶରେ ପୁଣି ୪୫,୩୫୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୬୬ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩୨,୯୦୩,୨୮୯ରେ ପହଞ୍ଚିଥିବା ବେଳେ ୪,୩୯,୮୯୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଆଜି ସକ୍ରିୟ ମାମଲା ୩,୯୯,୭୭୮ ରହିଛି ଏବଂ ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୨୨ ପ୍ରତିଶତ। ଆରୋଗ୍ୟ ହାର ୯୭.୪୫ ପ୍ରତିଶତ ଥିବା ବେଳେ ଗତ ୨୪ ଘଣ୍ଟାରେ ଦେଶରେ ୩୪,୭୯୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ କେରଳ ସଂକ୍ରମଣ ଅତି ଉଦ୍‌ବେଗଜନକ ହେଲାଣି।

କେରଳରେ ଦିନକରେ ପୁଣି ୩୨ ହଜାର ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି। କେରଳ‌ରେ ଟେଷ୍ଟ ପଜିଟିଭ୍‌ ହାର ୧୮.୪୧ ପ୍ରତିଶତ ରହିବାରୁ କେନ୍ଦ୍ର ସରକାର ଚିନ୍ତାବ୍ୟକ୍ତ କରିଛନ୍ତି। ଗତ ୨୪ ଘଣ୍ଟାରେ କେରଳ ୧,୭୪,୩୦୭ ନମୂନା ପରୀକ୍ଷା କରିଛି। ମୁମ୍ବାଇରେ ବି ସଂକ୍ରମଣ ଲଗାତାର ବଢ଼ୁଛି। ମହାରାଷ୍ଟ୍ରରେ ଗତକାଲି ୪,୩୪୨ ମାମଲା ଚିହ୍ନଟ ହୋଇଥିବା ବେଳେ ମୁମ୍ବାଇରେ ମାମଲା ୪୪୦ ରହିଛି। ଲଗାତାର ୮ ଦିନ ଧରି ମୁମ୍ବାଇରେ ଦୈନିକ ସଂକ୍ରମଣ ବଢ଼ୁଛି। ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୧ ମଧ୍ୟରେ ମୁମ୍ବାଇରେ ସକ୍ରିୟ ମାମଲା ୨,୭୩୬ରୁ ୩,୧୮୭କୁ ବୃଦ୍ଧି ପାଇଛି। ‌ହୋମ୍‌ କ୍ବାରାଣ୍ଟିନରେ ଥିବା ରୋଗୀଙ୍କ ସଂଖ୍ୟା ଏହି ସମୟ ମଧ୍ୟରେ ୪୩,୧୯୨ରୁ ୫୨,୫୨୯କୁ ବୃଦ୍ଧି ପାଇଛି।

ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ଏବେ ୨.୬୬ ପ୍ରତିଶତ ରହିଛି । ଲଗାତାର ୭୦ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷେ ଦୈନିକ ପଜିଟିଭ୍‌ ହାର ହେଉଛି ୨.୭୨ ପ୍ରତିଶତ। ଏଯାବତ ଦେଶରେ ୫୨.୬୫ କୋଟି ନମୂନା ପରୀକ୍ଷା ହେଲାଣି ଏବଂ ମୋଟ୍‌ ୬୭,୦୯ କୋଟି ଡୋଜ୍‌ ଟିକା ଦିଆସରିଛି।

ସମ୍ବନ୍ଧିତ ଖବର