ଆମେରିକାରେ ଭୟଙ୍କର ସ୍ଥିତି, ଦୈନିକ ସଂକ୍ରମଣ ଲକ୍ଷେ ଉପରେ

୭୦% ଟିକା ନେବା ସତ୍ତ୍ବେ ସ୍ଥିତି ଜଟିଳ

ୱାସିଂଟନ୍‌: ଆମେରିକାରେ କୋଭିଡ୍‌ ସଂକ୍ରମଣ ସ୍ଥିତି ପୁଣି ଜଟିଳ ହୋଇପଡ଼ିଛି। ଦୈନିକ ସଂକ୍ରମଣ ଏବେ ଲକ୍ଷେ ଉପରେ ରହୁଥିବା ବେଳେ ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବଢ଼ୁଛି। ବିଳମ୍ବିତ ଜୁନ୍‌ରେ ଆମେରିକାର ଦୈନିକ ସଂକ୍ରମଣ ମାମଲା ୧୧ ହଜାର ରହୁଥିଲା କିନ୍ତୁ ଏବେ ଆମେରିକାର ଦୈନିକ ହାରାହାରି ସଂକ୍ରମଣ ୧ ଲକ୍ଷ ୭ ହଜାର ରହିଛି। ଗତ ନଭେମ୍ବରରେ ଆମେରିକାରେ ଦୈନିକ ସଂକ୍ରମଣ ଲ‌କ୍ଷେ ଟପିବା ପାଇଁ ୯ ମାସ ଲାଗିଥିଲା କିନ୍ତୁ ଜାନୁଆରିରେ ଦୈନିକ ହାରାହାରି ସଂକ୍ରମଣ ଅଢ଼େଇ ଲକ୍ଷରେ ପହଞ୍ଚିଥିଲା। ମାମଲା ଜୁନ୍‌‌ରେ ଖସିଥିବା ବେଳେ ୬ ସପ୍ତାହ ପରେ ପୁଣି ସଂକ୍ରମଣ ବଢ଼ି ୧ ଲକ୍ଷ‌ରେ ପହଞ୍ଚିଛି।

ଆମେରିକାରେ ୭୦ ପ୍ରତିଶତ ଲୋକ ଟିକା ନେଇଥିଲେ ସୁଦ୍ଧା ସଂକ୍ରମଣ ଏତେ ବଢ଼ିବା ଚିନ୍ତାଜନକ ହୋଇଛି। ଆମେରିକାରେ ଦୈନିକ କରୋନା ମୃତ୍ୟୁ ମଧ୍ୟ ବଢ଼ିଛି। ଟିକା ନେଇନଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ବିଶେଷ କରି ଦକ୍ଷିଣରେ ବେଶୀ ସଂକ୍ରମଣ ବ୍ୟାପିଛି । ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯଦି ଟିକାକରଣ ତ୍ବରାନ୍ବିତ ନହୁଏ ତେବେ ଅଧିକରୁ ଅଧିକ ଆମେରିକୀୟ ସଂକ୍ରମିତ ହୋଇପାରନ୍ତି ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୩୬,୪୪୭,୧୨୩ରେ ପହଞ୍ଚିଥିବା ବେଳେ ୬୩୨,୬୪୧ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୨୦୨,୫୭୬,୭୬୦ ପହଞ୍ଚିଛି ଏବଂ କ‌ରୋନା ମୃତ୍ୟୁ ୪,୨୯୪,୩୧୭ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର