କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀ ହତ୍ୟା: ଯାନାବାହାନ ପୋଡ଼ାଜଳା ସହ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ; ଶାନ୍ତିରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ବେଙ୍ଗାଲୁରୁ: ଗତକାଲି ବଜରଙ୍ଗ ଦଳର ଜଣେ ୨୩ ବର୍ଷିୟ କର୍ମୀଙ୍କୁ ଛୁରିଭୁସି ହତ୍ୟା କରାଯିବା ଘଟଣାରେ ପ୍ରତିବାଦ ପ୍ରଦର୍ଶନ କରି ଆଜି ଶିବମୋଗ୍ଗାରେ ସ୍ଥାନୀୟ ଲୋକେ ଯାନବାହନ ପୋଡ଼ାଜଳା କରିବା ସହ ଟେକାପଥର ଫିଙ୍ଗିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି।

ଟୁଇଟ୍‌ କରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବୋମ୍ମଇ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଶିବମୋଗ୍ଗାରେ ହିନ୍ଦୁ କର୍ମୀ ହର୍ଷଙ୍କ ହତ୍ୟା ଘଟଣାରେ ଅତ୍ୟନ୍ତ ଦୁଃଖିତ। ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗିରଫ କରାଯିବ।

ଆଇନ-ଶୃଙ୍ଖଳା ବଜାୟ ରଖିବା ଲାଗି ପୁଲିସ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଶାନ୍ତ ରହିବାକୁ ଜନସାଧରଣଙ୍କୁ ମ‌ୋର ଅନୁରୋଧ।

Image Courtesy of Vartha Bharathi

ପ୍ରାପ୍ତ ସୂଚନା ଅନୁସାରେ, ପ୍ରତିବାଦକାରୀମାନେ କେତେକ ବାଇକ୍‌ ପୋଡ଼ିପକାଇବା ସହ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଉପରକୁ ଟେକାପଥର ପକାଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ଲାଗି ସେଠାରେ ୧୪୪ ଧାରା ଜାରି କରାଯାଇଛି।

ନିହତ ବଜରଙ୍ଗ ଦଳର ୨୩ ବର୍ଷିୟ କର୍ମୀ ହର୍ଷଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ଆଜି ପୂର୍ବାହ୍ନରେ ଡାକ୍ତରଖାନାରୁ ତାଙ୍କ ଘର ସୀଗେହାଟ୍ଟିକୁ ନିଆଯାଇଥିଲା। ପୁଲିସ ମଧ୍ୟ ୩ଜଣ ସନ୍ଦିଗ୍ଧଙ୍କୁ ଧରି ନେଇ ଜେରା କରୁଛି।

ସୂଚନାଯୋଗ୍ୟ, ଏହି ହତ୍ୟା ଘଟଣାକୁ ସଂକ୍ରାନ୍ତରେ ବିଭିନ୍ନ ରାଜନେତାମାନେ ଅନେକ ବିବାଦୀୟ ଏବଂ ଦାୟିତ୍ବହୀନ ମନ୍ତବ୍ୟ ଦେଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର