ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି, କିନ୍ତୁ ଆମ ଯବାନ ପ୍ରସ୍ତୁତ : ସେନାଧ୍ୟକ୍ଷ ନାରାଓ୍ଵାଣେ

ଲେହ : ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ସ୍ଥଳ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନାରାଓ୍ଵାଣେ ଆଜି ବିଭିନ୍ନ ଫରଓ୍ଵାର୍ଡ ପୋଷ୍ଟ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

ଏହି ପରିଦର୍ଶନ ପରେ ସେ କହିଛନ୍ତି ଯେ ଲେହରେ ପହଞ୍ଚିବା ପରେ ସେ ବିଭିନ୍ନ ଫରଓ୍ଵାର୍ଡ ପୋଷ୍ଟ ପରିଦର୍ଶନ କରିଥିଲେ । ଏହା ସହିତ ଅଫିସର ଓ ଜେସିଓମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏଲଏସିରେ ସ୍ଥିତି ଗତ ୨-୩ ମାସ ହେଲା ଉତ୍ତେଜନାପୂର୍ଣ୍ଣ ରହିଛି । କିନ୍ତୁ ଆମ ଯବାନ ମାନେ ଉତ୍ସାହିତ ଅଛନ୍ତି ଓ ସବୁପ୍ରକାରର ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି । ସେମାନେ ଦେଶକୁ ଗର୍ବିତ କରିବେ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ସୀମାର ସୁରକ୍ଷା କରିବାକୁ ଏଲଏସି ନିକଟରେ ଅତିରିକ୍ତ ଯବାନ ମୁତୟନ କରାଯାଇଛି । ତେବେ ଉତ୍ତେଜନା ହ୍ରାସ ପାଇଁ ଚୀନ ସହ ମିଲିଟାରୀ କମାଣ୍ଡର ଓ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି । ଏସବୁ ଉଦ୍ୟମର ସକାରାତ୍ମକ ଫଳ ମିଳିବା ଆଶା କରାଯାଉଛି । ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ଏପରି ଉଦ୍ୟମ ଜାରି ରହିବ । କିନ୍ତୁ ଜାତୀୟ ସ୍ୱାର୍ଥର ସୁରକ୍ଷା କରାଯିବା ସହ ସ୍ଥିତାବସ୍ଥା ବଜାୟ ରଖାଯିବ ।

ସମ୍ବନ୍ଧିତ ଖବର