ଶିବସେନାର ସ୍ବର ନରମିଲା, ମେଣ୍ଟ ଧର୍ମ ପାଳନ କରିବ

ଏନ୍‌ସିପି ବିରୋଧୀ ଦଳରେ ହିଁ ରହିବ: ଶରଦ ପାୱାର

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ଟଣାଓଟରା ଜାରି ରହିଥିବା ବେଳେ ଆଜି ଶିବସେନାର ଆଭିମୁଖ୍ୟ ନରମ ପଡ଼ିଥିବା ଦେଖାଯାଇଛି। ସରକାର ଗଠନ ପାଇଁ ବିଜେପି ସହିତ କଥାବାର୍ତ୍ତା ଜାରି ରହିଛି ଏବଂ ଆମେ ଶେଷ ପର୍ଯ୍ୟନ୍ତ ମେଣ୍ଟ ଧର୍ମ ପାଳନ କରିବୁ ବୋଲି ଶିବସେନା ନେତା ସଂଜୟ ରାଉତ କହିଛନ୍ତି। ତେବେ ସରକାର ଗଠନ ପାଇଁ ଉଭୟ ଦଳ ମଧ୍ୟରେ ଆଜି ପର୍ଯ୍ୟନ୍ତ ଔପଚାରିକ ଆଲୋଚନା ହୋଇନଥିବାରୁ ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ମହାରାଷ୍ଟ୍ରର ଚଳିତ ବିଧାନସଭାର କାର୍ଯ୍ୟକାଳ ୮ ନଭେମ୍ବରରେ ସମାପ୍ତ ହେବ। ରାଉତ କହିଛନ୍ତି ଯେ ବିଜେପି ସହ କଥାବାର୍ତ୍ତା ପରେ ସକାରାତ୍ମକ ପରିଣାମ ମିଳିବ ବୋଲି ଆମେ ଆଶା କରୁଛି। କଥାବାର୍ତ୍ତା ପ୍ରକ୍ରିୟାକୁ ଆମେ ଅଟକାଇ ନାହୁଁ ବୋଲି ଶିବସେନା କହିଥିବା ବେଳେ ସରକାର ଗଠନ ନେଇ ସୋମବାର ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିବ ବୋଲି ଜଣାପଡ଼ିଛି।

ଶିବସେନାକୁ ସମର୍ଥନ ପାଇଁ ସୋ‌ନିଆଙ୍କୁ ଚିଠି ଲେଖିଲେ କଂଗ୍ରେସ ସାଂସଦ

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଲାଗି ରହିଥିବା ଅନିଶ୍ଚିତତାରୁ ଏବେ କଂଗ୍ରେସ ମଧ୍ୟ ଫାଇଦା ନେବାକୁ ଚାହୁଛି। ଆଜି ଜଣେ କଂଗ୍ରେସ ନେତା ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଶିବସେନାକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି। ମହାରାଷ୍ଟ୍ରର ରାଜ୍ୟସଭା ସାଂସଦ ତଥା କଂଗ୍ରେସ ନେତା ହୁସେନ୍‌ ଦାଲ୍‌ୱାଇ ସେନାକୁ ସରକାର ଗଠନରେ ସହଯୋଗ କରିବାପାଇଁ ସୋନିଆଙ୍କୁ ଚିଠି ଲେଖିଛନ୍ତି। ସେନା ମଧ୍ୟ ଅତୀତରେ କଂଗ୍ରେସ ମନୋନୀତ ପ୍ରାର୍ଥୀ ପ୍ରତିଭା ପାଟିଲ୍‌ ଏବଂ ପ୍ରଣବ ମୁଖାର୍ଜୀଙ୍କୁ ରାଷ୍ଟ୍ରପତି କରିବାରେ ସମର୍ଥନ କରିଥିବା ଦଲୱାଇ ମନେ ପକାଇଦେଇଛନ୍ତି। ବିଜେପିକୁ କ୍ଷମତାରୁ ହଟାଇବାପାଇଁ ଶିବସେନାକୁ ସାହାଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆଜି ଏନ୍‌ସିପି ସୁପ୍ରିମୋ ଶରଦ୍‌ ପାୱାର କହିଛନ୍ତି, ମହାରା‌ଷ୍ଟ ଜନସାଧାରଣ ଏନ୍‌ସିପିକୁ ବିରୋଧୀ ଦଳରେ ହିଁ ରହିବାକୁ ଜନାଦେଶ ଦେଇଛନ୍ତି ଏବଂ ଦଳ ଏହାକୁ ପାଳନ କରିବ। ପୂର୍ବରୁ ଏନ୍‌ସିପି ବିଧାୟକ ଦଳ ନେତା ଅଜିତ ପାୱାର ମଧ୍ୟ ସମାନ ବୟାନ ରଖିଥିଲେ। ନାସିକ୍‌ରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି ଶରଦ୍‌ ପାୱାର କହିଛନ୍ତି, ବିଜେପି ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଯେଉଁ କ୍ଷମତା ସଂଘର୍ଷ ଲାଗି ରହିଛି ତାହା ପିଲାଳିଆମି। ସରକାର ଗଠନ ସଂକ୍ରାନ୍ତରେ ଆମେ ଶିବସେନା ପକ୍ଷରୁ କିଛି ପ୍ରସ୍ତାବ ପାଇନାହୁଁ ଏବଂ ଆମେ ବିରୋଧୀ ଦଳରେ ହିଁ ରହିବୁ ବୋଲି ପାୱାର କହିଛନ୍ତି। ତେବେ ସଂପ୍ରତି ଚାଲିଥିବା କନ୍ଦଳର ଅବସାନ ଘଟିବ ଏବଂ ଠିକ୍‌ ସମୟରେ ବିଜେପି-ଶିବସେନା ମେଣ୍ଟ ହିଁ ରାଜ୍ୟରେ ସରକାର ଗଠନ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର