ମୁମ୍ବାଇ: ଅର୍ଥନୀତିକୁ ପୂର୍ବ ଧାରାକୁ ଆଣିବା ଲାଗି ନୂଆ କାଗଜଟଙ୍କାରେ (ନୋଟ୍‌) ପ୍ରଭୁ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଫଟୋ ଛାପିବା ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବାପରେ ରାଜନୀତି ଜୋର ଧରିଛି | କେଜ୍ରିୱାଲ ଗତକାଲି କହିଥିଲେ ଯେ ଭାରତୀୟ କାଗଜଟଙ୍କାର ଗୋଟିଏ ପାର୍ଶ୍ବରେ ଗାନ୍ଧୀଜୀଙ୍କ ଛବି ଅଛି। ଗାନ୍ଧୀଜୀଙ୍କ ଛବି ଅପରିବର୍ତ୍ତିତ ରହିବା ଉଚିତ। ଯଦି ଆ‌ମେ ଟଙ୍କାର ଆର ପାଖରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଛାପନ୍ତେ, ସମଗ୍ର ଦେଶ ସେମାନଙ୍କ ଆଶୀର୍ବାଦ ପାଆନ୍ତା। ଲକ୍ଷ୍ମୀ ସମୃଦ୍ଧିର ଦେବୀ ହୋଇଥିବା ବେଳେ ପ୍ରଭୁ ଗଣେଶ ବିଘ୍ନ ନାଶ କରନ୍ତି। ତେବେ ନୋଟରେ କାହାର ଛବି ରହିବ ତାହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଏବେ କଂଗ୍ରେସ ନେତା ମନୀଷ ତିୱାରୀ ଦାବି କରିଛନ୍ତି ଯେ ନୋଟରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଛବି ଛାପିବା ଉଚିତ |

Advertisment

ମନୀଷଙ୍କ ପରେ ବର୍ତ୍ତମାନ ବିଜେପି ନେତା ନୀତୀଶ ରାଣେ ଏକ ଫଟୋସପ୍ ହୋଇଥିବା ୨୦୦ ଟଙ୍କିଆ ନୋଟର ଫଟୋ ସେୟାର କରିଛନ୍ତି ଯେଉଁଥିରେ ଛତ୍ରପତି ଶିବାଜୀଙ୍କ ଫଟୋ ରହିଛି | ମହାରାଷ୍ଟ୍ରର କାନକାଭାଲିର ବିଧାୟକ ରାଣେ ଫଟୋ ଟ୍ୱିଟ କରି ଲେଖିଛନ୍ତି ଯେ ଏହା ଏକଦମ ପରଫେକ୍ଟ | ଏହି ପୋଷ୍ଟ ଦ୍ୱାରା ସେ ପରୋକ୍ଷରେ କହିଛନ୍ତି ଯେ ନୋଟରେ ଶିବାଜୀଙ୍କ ଫଟୋ ରହିବା ଉଚିତ | ଉଲ୍ଲେଖ ଥାଉ କି ନୋଟରେ ପ୍ରଭୁ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଛବି ରଖିବାକୁ କହିବା ପରେ ଏବେ କେଜ୍ରିୱାଲଙ୍କୁ ବିଜେପି ମଧ୍ୟ ସମାଲୋଚନା କରିଛି | ବିଜେପି ନେତା ମନୋଜ ତିୱାରୀ କହିଛନ୍ତି ଯେ ହିନ୍ଦୁ ଦେବତା ଏବଂ ଦେବୀଙ୍କୁ ଆପ ଦୁର୍ବ୍ୟବହାର କରିଥିବାବେଳେ ବର୍ତ୍ତମାନ ନିର୍ବାଚନ ପୂର୍ବରୁ ନୂଆ ଚାଲ ଖେଳୁଛି | ଯେଉଁମାନେ ରାମ ମନ୍ଦିରକୁ ବିରୋଧ କରିଥିଲେ ସେମାନେ ଏକ ନୂଆ ଢଙ୍ଗରେ ହିନ୍ଦୁତ୍ୱ କାର୍ଡ ଖେଳିଛନ୍ତି |