ବାଣରେ କେତେକ ରାସାୟନିକ ପଦାର୍ଥ ବ୍ୟବହାର ନିଷିଦ୍ଧ କରିଥିବାରୁ ସୁପ୍ରିମ୍‌ କୋର୍ଟଙ୍କୁ ଚାଲେଞ୍ଜ୍‌ କରିବେ ଶିବକାଶୀ ନିର୍ମାତା

ଚେନ୍ନାଇ: ସୁପ୍ରିମ୍‌ କୋର୍ଟ ମଙ୍ଗଳବାର ଦିନ ଆତସବାଜି ତିଆରିରେ ବ୍ୟବହୃତ କେତେକ ରାସାୟନିକ ପଦାର୍ଥ ଉପରେ ଦେଇଥିବା ନିଷିଦ୍ଧାଦେଶ ବିରୋଧରେ ରିଭିଉ ପିଟିସନ୍‌ ଦାଏର୍‌ କରିବେ ବୋଲି ଦେଶର ଆତସବାଜି ଉତ୍ପାଦନ ନାଭିଚକ୍ର ଶିବକାଶୀରେ ଥିବା ନିର୍ମାତାମାନେ କହୁଛନ୍ତି।

ଆତସବାଜିରେ ବେରିୟମ୍‌ ନାଇଟ୍ରେଟ୍‌ ଏବଂ ଆଲ୍‌ମିନିୟମ୍‌ ବ୍ୟବହାର କରିବାକୁ ସର୍ବୋଚ୍ଚ ଅଦାଲତ ବାରଣ କରିଛନ୍ତି। ଏହାର ଦ୍ୱାରା ବାୟୁ ଓ ଶବ୍ଦ ପ୍ରଦୂଷଣ ହେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଏଥର ଦୀପାବଳି ନିମନ୍ତେ ଦେଶବ୍ୟାପୀ ଏ ଭଳି କଟକଣା ଜାରି କରିଛନ୍ତି। ରିଭିଉ ପିଟିସନ୍‌ ଅତ୍ୟାବଶ୍ୟକ ବୋଲି ‘ତାମିଲନାଡୁ ଫାୟାର୍‌ଓ୍ଵାର୍କସ୍‌ ଆଣ୍ଡ୍‌ ଆମୋର୍ସେସ୍‌ ମେନୁଫ୍ୟାକ୍ଚରର୍ସ ଆସୋସିଏସନ୍‌’ର ସାଧାରଣ ସଚିବ କେ ମରିୟାପ୍ପାନ୍‌ କହିଛନ୍ତି।

ସେ କହିଛନ୍ତି: ଜନପ୍ରିୟ ବାଣ ଓ ଆତସବାଜିର ପ୍ରାୟ ୪୦% ଆଲ୍‌ମିନିୟମ୍‌ ଏବଂ ବେରିୟମ୍‌ ନାଇଟ୍ରେଟ୍‌ ଦିଆଯାଇ ତିଆରି କରାଯାଇଛି। ଏ ବର୍ଷ ତାହାର ମୂଲ୍ୟ ହେବ ପ୍ରାୟ ୧୯୦୦ କୋଟି ଟଙ୍କା। କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିୟାଲ୍‌ ରିସର୍ଚ ରିପୋର୍ଟ ଆଧାରରେ ସୁପ୍ରିମ୍‌ କୋର୍ଟ ଏହାକୁ ନିଷିଦ୍ଧ କରିଛନ୍ତି। ରିପୋର୍ଟରେ ପରାମର୍ଶ ଦିଆଯାଇଛି କି, ଏହା ପରିବର୍ତ୍ତେ ମାଗ୍ନେସିୟମ୍‌ ଓ ପାଣି ବ୍ୟବହାର କରିବା ନିମନ୍ତେ। ଆମ ଅଧ୍ୟୟନ କହୁଛି ଯେ ମାଗ୍ନେସିୟମ୍‌ କ୍ଷତିକାରକ।

‘ସେଣ୍ଟ୍ରାଲ୍‌ ପଲୁସନ୍‌ କଣ୍ଟ୍ରୋଲ୍‌ ବୋର୍ଡ’ର ପୂର୍ବତନ ଏୟାର୍‌ କ୍ୱାଲିଟି ଲାବ୍ରୋଟରି ମୁଖ୍ୟ ଡି ଶାହା କହନ୍ତି: ବେରିୟମ୍‌ ନାଇଟ୍ରେଟ୍‌ ଭଳି ଉପାଦନ ମିଶିଲେ ବାଣରୁ ସବୁଜ ଆଲୋକ ବାହାରେ, ଆଲ୍‌ମିନିୟମ୍‌ରୁ ଧଳା ଏବଂ ରୁପେଲି ରଙ୍ଗ ବାହାରେ। ସେ ସବୁ ମିଶାଯିବା ବାଧ୍ୟତାମୂଳକ ନୁହେଁ। ବରଂ ସେସବୁ ବାହାର କରୁଥିବା ଧୂଅାଁ ବିଷାକ୍ତ।

ଆତସବାଜି ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା ଶିବକାଶୀ ୫ ଲକ୍ଷ ଲୋକଙ୍କୁ ଦର୍ଶାଇ ସେ କହିଛନ୍ତି, ଅଦାଲତ କିଂବା ସରକାର ଦୀପାବଳିର ମାତ୍ର ଅଳ୍ପ କେତେ ଦିନ ପୂର୍ବରୁ ନିଷିଦ୍ଧାଦେଶ ଦେବାରୁ ଆମ ଜୀବନ ଦୁର୍ବିଷହ ହୋଇ ଉଠିଛି।

ସମ୍ବନ୍ଧିତ ଖବର