ରାହୁଲ ହିଁ ଏକମାତ୍ର ବିକଳ୍ପ, ବିଜେପିକୁ ଲାଭ ଦେଇପାରେ ଟିଏମସି: ଶିବସେନାର ଦାବି

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ସହିତ ଲଢେଇ ପୂର୍ବରୁ ବିରୋଧୀମାନେ ଏବେ ଏହି ପ୍ରସଙ୍ଗରେ ଲଢ଼ୁଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ କାହା ନେତୃତ୍ୱରେ ଲଢେଇ ହେବ? ଏହି ପ୍ରସଙ୍ଗରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଳହ ଚାଲିଥିବାବେଳେ ଶିବସେନା ରାହୁଲ ଗାନ୍ଧୀଙ୍କୁ ଏକମାତ୍ର ବିକଳ୍ପ ବୋଲି କହିଛି | ଶିବସେନାର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଲେଖାଯାଇଛି ଯେ ଟିଏମସି ଏବଂ ଆମ୍ ଆଦମୀ ପାର୍ଟି ଭଳି ଦଳ ବିରୋଧୀଙ୍କ ଏକତାକୁ ନଷ୍ଟ କରୁଛନ୍ତି ଏବଂ ଏଭଳି କରିବା ବିଜେପିକୁ ସହାୟକ ହେବ | ଶିବସେନା ନେତା ସଞ୍ଜୟ ରାଓତ କହିଛନ୍ତି ଯେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ହେଉଛନ୍ତି ଏକମାତ୍ର ନେତା ଯିଏ ନୂଆଦିଲ୍ଲୀରେ ବର୍ତ୍ତମାନର ସରକାରଙ୍କ ବିକଳ୍ପ ହୋଇପାରିବେ।

ଶିବସେନା ନେତା କହିଛନ୍ତି ଯେ ଯଦି ଟିଏମସି ଏବଂ ଏଏପି ଭଳି ଦଳ କଂଗ୍ରେସ ଗଠବନ୍ଧନର ଅଂଶ ନ ହୁଅନ୍ତି, ତେବେ ମୋଦୀ ବିରୋଧୀ ଭୋଟର ବିଭାଜନ ହେବ, ଯାହା ବିଜେପି ପାଇଁ ଲାଭଦାୟକ ହେବ। ଶିବସେନା ବର୍ତ୍ତମାନ କଂଗ୍ରେସ ଏବଂ ଏନସିପି ସହିତ ମହାରାଷ୍ଟ୍ରରେ ସରକାର ଚଳାଉଛି। ସୂଚନା ଥାଉ କି ଗତକାଲି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଟ୍ବିଟ୍‌ର ଜବାବରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଥିଲେ ଯେ, କଂଗ୍ରେସରେ ନିର୍ବାଚନ ଜିତି ପାରୁନଥିବା କିଛି ନେତାଙ୍କୁ ନିଜ ସହିତ ସାମିଲ କରି ଏହି ଦଳ (ଟିଏମ୍‌ସି) ରାଷ୍ଟ୍ରୀୟ ବିକଳ୍ପ ହେବାକୁ ଆଶା ରଖିଛି।

ସେମାନଙ୍କୁ ବହୁତ ବଡ଼ ନିରାଶା ହିଁ ମିଳିବ କାରଣ ଜାତୀୟ ସ୍ତରରେ ବିକଳ୍ପ ପ୍ରସଙ୍ଗର କୌଣସି ତ୍ବରିତ ସମାଧାନ ନଥାଏ| ବାଘେଲଙ୍କର ଏଭଳି ପ୍ରତିକ୍ରିୟା ନେଇ ଟିଏମ୍‌ସି ଟ୍ବିଟର୍‌ ଆକାଉଣ୍ଟ୍‌ରୁ ମଧ୍ୟ କଡ଼ା ଜବାବ ରଖାଯାଇଥିଲା । ଟିଏମ୍‌ସି ଟ୍ବିଟ୍‌ କରି କହିଥିଲା ‘ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ଭୂପେଶ ବାଘେଲ ଭଲ କଥା କହୁଛନ୍ତି, କିନ୍ତୁ ସେ ତାଙ୍କ ଓଜନଠାରୁ ଅଧିକ କଥା କହୁଛନ୍ତି ଏବଂ ଏଥିରୁ ତାଙ୍କୁ କିଛି ଫାଇଦା ମିଳିବ ନାହିଁ। ହାଇକମାଣ୍ଡ୍‌ଙ୍କୁ ଖୁସି କରିବା ପାଇଁ ସେ ଭଲ ଚେଷ୍ଟା କରୁଛନ୍ତି ବୋଲି ଟିଏମ୍‌ସି କଟାକ୍ଷ କରିଛି। ଏହା ସହିତ ଆମେଥିରେ କଂଗ୍ରେସର ଐତିହାସିକ ପରାଜୟକୁ କଂଗ୍ରେସ କ’ଣ ଏକ ଟ୍ବିଟର୍‌ ଟେଣ୍ଡ୍‌ ମାଧ୍ୟମରେ ଭୁଲିଯାଇ ପାରିବ କି ବୋଲ ଟିଏମ୍‌ସି ପ୍ରଶ୍ନ କରିଥିଲା ।

ସମ୍ବନ୍ଧିତ ଖବର