ଟିଏମ୍‌ସି ନେତାଙ୍କୁ ଗୁଳିକରି ହତ୍ୟା

କୋଲକାତା : ଦକ୍ଷିଣ ୨୪ ପ୍ରଗଣାର ଜିଲ୍ଲାରେ କିଛି ଅଜ୍ଞାତ ବ୍ୟକ୍ତି ଗୁଳି କରି ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତାଙ୍କୁ ଆଜି ହତ୍ୟା କରିଛନ୍ତି। ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଆଜି ସକାଳେ ଦକ୍ଷିଣ ୨୪ ପ୍ରଗଣା ବାସନ୍ତୀ ଅଞ୍ଚଳର ତୃଣମୂଳ ନେତା ଅମୀର ଅଲ୍ଲୀ ଖାନ୍‌(୫୬) ପ୍ରାତଃ ଭ୍ରମଣରେ ଯାଇଥିଲେ। କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଖାନ୍‌ ସେହିଠାରେ ଟଳି ପଡ଼ିଥିଲେ। ଗୁଳି ଶବ୍ଦ ଶୁଣି ଆଖପାଖରେ ଥିବା ଲୋକମାନେ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ବୋମା ଫିଙ୍ଗି ପଳାଇଥିଲେ। ବୋମା ମାଡ଼ରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ଖାନ୍‌ଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ବିଶାଳ ପୁଲିସ ବାହିନୀ ମୁତୟନ କରାଯାଇଛି। ହତ୍ୟାକାଣ୍ଡ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ‌ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ଅନୁମାନରୁ କୁହାଯାଉଛି। ଅଞ୍ଚଳ ଦଖଲକୁ ନେଇ ତୃଣମୂଳର ଯୁବଶାଖା ଏବଂ ମୁଖ୍ୟ ପାର୍ଟି ମଧ୍ୟ‌େ ଗଣ୍ଡଗୋଳ ଲାଗି ରହିଥିଲା। ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକେ ଜଣେ ତୃଣମୂଳ ନେତାଙ୍କ ଘର ଭଙ୍ଗାରୁଜା କରିଥିଲେ। ସେହି ଘରୁ ପୁଲିସ ଅନେକ ଅଫୁଟା ବୋମା ଜବତ କରିଛି। ଅନ୍ୟପକ୍ଷରେ ଏହି ଘଟଣା ପାଇଁ ବିରୋଧୀ ଦଳକୁ ଦାୟୀ କରିଛି ତୃଣମୂଳ।

ସମ୍ବନ୍ଧିତ ଖବର