ଚେନ୍ନାଇ : ଚେନ୍ନାଇ ବାଇପାସ୍ ରୋଡ୍ରେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗରେ ୬ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ରବିବାର ଥେଲିଆୟାର ଆଗରାମ ନିକଟରେ ଟ୍ୟାକ୍ସି ଯୋଗେ ଯାତ୍ରା କରୁଥିବା ଜନୈକା ମହିଳାଙ୍କୁ ଅଭିଯୁକ୍ତମାନେ ଅପହରଣ କରିଥିଲେ।
ରିପୋର୍ଟରୁ ଜଣାପଡ଼ିଛି, ଏକ ମନ୍ଦିରରେ ଆୟୋଜିତ ଉତ୍ସବରେ ଯୋଗଦେଇ ମହିଳା ଜଣକ ନିଜ ବନ୍ଧୁଙ୍କ ସହ କାର୍ରେ ଘରକୁ ଫେରୁଥିଲେ। ପରିବାର ସହ ମନ୍ଦିରକୁ ଯାଇଥିବା ମହିଳା ରାତି ୧୦ଟାରେ ତାଙ୍କ ଦୁଇ ପିଲା ଏବଂ ସ୍ୱାମୀଙ୍କୁ ଦୁଇ ଚକିଆ ଯାନରେ ଘରକୁ ପଠାଇ ଦେଇଥିଲେ। ରାତି ୧୧ଟା ୩୦ରେ ସେ ତାଙ୍କ ପାରିବାରିକ ବନ୍ଧୁଙ୍କ ଦ୍ୱାରା ଚାଳିତ ଟ୍ୟାକ୍ସିରେ ଘରକୁ ଫେରୁଥିବାବେଳେ ତାମ୍ବରାମ-ମଦୁରାଭୋୟାଲ ବାଇପାସ୍ ନିକଟସ୍ଥ ଧମନୀ ରାସ୍ତାରେ ଜଣେ ଯୁବକ ଗାଡ଼ି ଅଟକାଇ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। ସଙ୍ଗେସଙ୍ଗେ ଆଉ ପାଞ୍ଚ ଜଣ ଯୁବକ ତାଙ୍କ ସହ ଯୋଗ ଦେଇଥିଲେ। ମହିଳା ଜଣକ ଚିତ୍କାର କରିବାରୁ ସେମାନେ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏହା ପରେ ସେମାନେ ତାଙ୍କ ବନ୍ଧୁଙ୍କଠାରୁ ସୁନାମୁଦି ଛଡ଼ାଇ ନେଇ ଗାଡ଼ିରୁ ଠେଲି ଦେଇଥିଲେ। ଗାଡ଼ିଟିକୁ କିଛିଦୂର ନେଇଯାଇ ସେଠାରେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।
ମହିଳାଙ୍କ ବନ୍ଧୁ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା। ପୁଲିସ ଆସିବା ଦେଖି ୫ ଅଭିଯୁକ୍ତ ଖସି ପଳାଇଥିବାବେଳେ ପୁଲିସ ଜଣକୁ ଧରିବାରେ ସକ୍ଷମ ହୋଇଥିଲା। ତାକୁ ପଚରା ଉଚରା କରି ଅନ୍ୟମାନଙ୍କୁ ଠାବ କରି ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୫ଟି ସୁନା ମୁଦି ଜବତ କରାଯାଇଛି। ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ପୀଡ଼ିତା ଚିକିତ୍ସିତ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-22a.jpg)