ସମ୍ବଲପୁର ମୁଥୁଟ୍‌ ଫାଇନାନ୍‌ସରୁ ଚୋରି ଘଟଣା: ବିହାରରୁ ୬ ଡକାୟତ ଗିରଫ, ୧୫ କିଲୋ ସୁନା ଜବତ

ଭୁବନେଶ୍ୱର: ସମ୍ବଲପୁରସ୍ଥିତ ଫାଇନାନ୍‌ସ କମ୍ପାନି ‘ମୁଥୁଟ୍‌ ଫାଇନାନ୍‌ସ’ରୁ ୨୦୧୭ ଡିସେମ୍ବରରେ ଚୋରି ହୋଇଥିବା ସୁନା ବିହାରର ରାଜଧାନୀ ପାଟଣାରୁ ଜବତ ହୋଇଛି। ପୁଲିସ ଏହି ଘଟଣାରେ ସଂପୃକ୍ତ ୬ଜଣ ଡକାୟତଙ୍କୁ ଗିରଫ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ପାଟନା ପୁଲିସ ସହିତ ମିଳିତ ଚଢ଼ାଉ ବଳରେ ଡକାୟତମାନେ ଗିରଫ ବେଳେ ଗୁଳି ଚାଳନା କରିଥିଲେ। ଉଭୟ ପୁଲିସ ଓ ଡକାୟତଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲେ ହେଁ ଶେଷରେ ପୁଲିସକୁ ସଫଳତା ମିଳିଛି। ସମ୍ବଲପୁର ଏସ୍‌ପି ସଂଜୀବ ଅରୋରା କହିଛନ୍ତି, ଡକାୟତଙ୍କ ଠାରୁ ୧୫ କିଲୋ ସୁନା ଜବତ ହୋଇଛି।

ସୂଚନାଯୋଗ୍ୟ ଗତ ଡିସେମ୍ବର ୨୮ ଦିନ ଦ୍ୱିପ୍ରହରରେ ଚଳଚ୍ଚିତ୍ରର କାହାଣୀ ଶୈଳୀରେ ଫାଇନାନ୍ସ କମ୍ପାନିରୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ନିକଟରେ ଥିବା ଫାଇନାନ୍‌ସ କମ୍ପାନି ‘ମୁଟୁଥ ଫାଇନାନ୍ସ’ରୁ ଏହି ଲୁଟ ହୋଇଥିଲା। ଘଟଣା ଦିନ ଅପରାହ୍ନ ୩ଟାରୁ ୪ଟା ଭିତରେ ୫ଜଣ ଦୁର୍ବୃତ୍ତ ଏକ କାରରେ କମ୍ପାନି ସମ୍ମୁଖକୁ ପହଞ୍ଚି ଥିଲେ। କମ୍ପାନି ବାହାର ପାଶ୍ୱରେ ବନ୍ଧୁକ ଧରି ୨ଜଣ ଥିବା ବେଳେ ଭିତରକୁ ଅନ୍ୟ ୩ଜଣ ପ୍ରବେଶ କରିଥିଲେ।

ଦୁର୍ବୃତ୍ତମାନେ ଉପସ୍ଥିତ ଫାଇନାନ୍ସ କମ୍ପାନିର ହିସାବରକ୍ଷକ ଅଭିଳାଷ ଷଣ୍ଢ ଓ ସୁରକ୍ଷା କର୍ମୀ ଶରତ ଚନ୍ଦ୍ର ପଣ୍ଡାଙ୍କୁ ପିସ୍ତଲ ଦେଖାଇବା ସହିତ ଆକ୍ରମଣ କରିଥିଲେ। ଅଭିଳାଷ ଓ ଶରତଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏତଦ୍‌ ଦୃଶ୍ୟ ଦେଖି କମ୍ପାନିର ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇ ଉଠିଥିଲେ। କମ୍ପାନି ପରିସରରେ କିଛି ସମୟ ପର୍ଯ୍ୟନ୍ତ ଆତଙ୍କରାଜ ଦେଖାଯାଇଥିଲା। ଦୁର୍ବୃତ୍ତମାନେ ପ୍ରାୟ ୬ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର