ଜାମ୍ମୁ ଓ କାଶ୍ମୀର : ଅଫୁଟା ବୋମା ଗୋଟାଇବାକୁ ଯାଇ ୫ ସାଧାରଣ ନାଗରିକ ନିହତ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ଓ ୫ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି । ଏହି ଘଟଣାରେ ଦୁଇଜଣ ଯବାନ ଆହତ ହୋଇଥିବା ଖବର ମିଳିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ କୁଲଗାମ ଜିଲ୍ଲାର ଲାରୋ ଅଂଚଳରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ଓ ରାଜ୍ୟ ପୁଲିସ ଏକ ମିଳିତ ଅପରେସନ ଆରମ୍ଭ କରିଥିଲେ । ଗୋଟିଏ ଘରେ ଆତଙ୍କବାଦୀମାନେ ଲୁଚିରହିଥିବା ଜଣାପଡିବା ପରେ ସୁରକ୍ଷାବାହିନୀ ଉକ୍ତ ଘରକୁ ଚାରିପଡୁ ଘେରିଯାଇଥିଲେ ଓ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ । ତେବେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳିଚଳାଇବାରୁ ସୁରକ୍ଷାବାହିନୀ ବାଧ୍ୟ ହୋଇ ତାହାର ଜବାବ ଦେଇଥିଲା । ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଅପରେସନ ଶେଷହେବା ପରେ କେତେକ ସାଧାରଣ ଲୋକ ଏନକାଉଣ୍ଟର ସ୍ଥଳକୁ ଯାଇଥିବାବେଳେ ସେଠାରେ ପଡିଥିବା ଏକ ଅଫୁଟା ସେଲ ହଠାତ ବିସ୍ଫୋରଣ ହେବାରୁ ୫ ଜଣ ଲୋକ ମୃତ୍ୟୁବରଣ କରିଥିଲେ । ସାଧାରଣ ଲୋକଙ୍କ ମୃତ୍ୟୁ ଖବରକୁ ନେଇ ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ବିଜୟ କୁମାର ଦୁଃଖ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର