ଲଣ୍ଡନ : ସେପ୍ଟେମ୍ବର ୧୯ରେ ବ୍ରିଟେନକୁ ସର୍ବାଧିକ ସମୟ ଧରି ଶାସନ କରିଥିବା ରାଣୀ ଏଲିଜାବେଥ-୨ୟଙ୍କ ରାଜକୀୟ ଅନ୍ତେଷ୍ଟି କରାଯିବ । ୧୯୬୫ରେ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଓ୍ବିନଷ୍ଟନ ଚର୍ଚ୍ଚିଲଙ୍କ ରାଜକୀୟ ଅନ୍ତେଷ୍ଟି ପରେ ଏହା ହେବ ବ୍ରିଟେନର ପ୍ରଥମ ରାଜକୀୟ ଅନ୍ତେଷ୍ଟି ।
ଏଥିପାଇଁ ବିଶ୍ବ ସବୁ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଡକାଯାଇଛି । ତେବେ ୬ଟି ଦେଶକୁ ଏଥିପାଇଁ ନିମନ୍ତ୍ରଣ ପତ୍ର ପଠାଯାଇନାହିଁ । ସେସବୁ ଦେଶ ହେଉଛି ଆଫଗାନିସ୍ତାନ, ରୁଷ, ବେଲାରୁଷ, ମିଆଁମାର, ଭେନିଜୁଏଲା ଓ ସିରିଆ । ଏସବୁ ଦେଶର ରାଜନୈତିକ ପରିସ୍ଥିତି ଓ ବ୍ରିଟେନ ସହ ଖରାପ ସଂପର୍କ କାରଣରୁ ନିମନ୍ତ୍ରଣ କରାଯାଇନାହିଁ ।
ଅନ୍ୟପକ୍ଷରେ ଆଉ ୩ଟି ଦେଶକୁ ନିମନ୍ତ୍ରଣ ପଠାଯାଇଥିଲେ ବି ରାଷ୍ଟ୍ରମୁଖ୍ୟଙ୍କୁ ଡକାଯାଇନାହିଁ । କେବଳ ରାଷ୍ଟ୍ରଦୂତଙ୍କ ପାଇଁ ନିମନ୍ତ୍ରଣ ପଠାଯାଇଛି । ସେସବୁ ଦେଶ ହେଉଛି ଉତ୍ତରକୋରିଆ, ଇରାନ ଓ ନିକାରାଗୁଆ ।
ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପାଶ୍ଚାତ୍ୟଦେଶମାନେ ରୁଷ ସହ ସମ୍ପର୍କ ଛିନ୍ନ କରିଛନ୍ତି ଓ ଆର୍ଥିକ କଟକଣା ଲଗାଇଛନ୍ତି । ତେବେ ରାଣୀଙ୍କ ମୃତ୍ୟୁ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିଟେନକୁ ନିଜର ଶୋକ ସଂଦେଶ ଓ ନୂଆ ରାଜାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ସତ୍ତ୍ବେ ପୁଟିନକୁ ନିମନ୍ତ୍ରଣ ପଠାଇନାହିଁ ବ୍ରିଟେନ । ସେହିପରି ୟୁକ୍ରେନ ବିରୋଧୀ ଯୁଦ୍ଧରେ ବେଲାରୁଷ ରୁଷକୁ ସହାୟତା କରୁଥିବାରୁ ଏହି ଦେଶ ଉପରେ ପାଶ୍ଚାତ୍ୟ ଦେଶ କ୍ଷୁବଧ ଅଛନ୍ତି ।