ଅହମଦାବାଦ: କେନ୍ଦ୍ରୀୟ ଗୁଜରାଟର ବଡ଼ଦୋରା ସହରରେ ମୁଷଳଧାରାରେ ବର୍ଷା ହେବାରୁ ବର୍ଷାଜନିତ ଦୁର୍ଘଟଣାରେ ଛଅ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ବୁଧବାର ଦିନ ମାତ୍ର ୧୨ ଘଣ୍ଟା ମଧ୍ୟରେ ସହରରେ ୪୪୨ ମିଲିମିଟର୍‌ ବର୍ଷା ହୋଇଥିଲା।

Advertisment

ଅଜ୍‌ଓ୍ଵା ନଦୀରେ ଜଳସ୍ତର ବଢ଼ିଚାଲିଥିବା ବେଳେ ଆବଶ୍ୟକ କ୍ଷେତ୍ରରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଯୋଗ ଦେବାକୁ ଦୁଇ ପ୍ଲାଟୁନ୍‌ ଯବାନ ସଜାଗ ଅଛନ୍ତି।

ଅତି ପ୍ରବଳ ବର୍ଷା ଯୋଗୁଁ ବିମାନ ବନ୍ଦର ବନ୍ଦ ରହିଛି, ରାସ୍ତାଘାଟରେ ପାଣି ଜମି ରହିଥିବାରୁ କେତେକ ଟ୍ରେନ୍‌ ବାତିଲ କରାଯାଇଛି।
ଗୁରୁବାର ଦିନ ସହରର ସବୁ ସ୍କୁଲ୍‌ ବନ୍ଦ ରହିବ।

ସହର ଉପକଣ୍ଠସ୍ଥିତ ତଳିଆ ଅଞ୍ଚଳରୁ ପାଖାପାଖି ୧୦୦୦ ଜଣ ବ୍ୟକ୍ତିଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଆବାସିକ କଲେକ୍ଟର୍‌ ଦିଲୀପ ପଟେଲ୍‌ କହିଛନ୍ତି।

publive-image Image Source: India Today

ରେକର୍ଡ ଭଙ୍ଗା ବର୍ଷାରେ ସହର ଉବୁଟୁବୁ ହେଉଥିବା ବେଳେ ସହର ଉପକଣ୍ଠସ୍ଥିତ ଉଦେରା ଗାଁ ସବୁଠୁ ବେଶୀ ପ୍ରଭାବିତ ହୋଇଛି। ଗ୍ରାମରେ ଥିବା ଜଳାଶୟ ଫୁଲି ଉଠିଛି ଏବଂ ୨୦୦ ସରିକି ଲୋକ ନିରାପଦ ସ୍ଥାନଗୁଡ଼ିକୁ ସ୍ଥାନାନ୍ତରିତ ହୋଇଛନ୍ତି।

ସହରର ବହୁଳାଂଶରେ ବିଜୁଳି କାଟ ହୋଇଛି। ବରାସିୟା ଅଞ୍ଚଳରେ ଲୋଟସ୍‌ ଶିଶୁ ଡାକ୍ତରଖାନାରେ ଜେନେରେଟର୍‌ ଚାଲୁ ରଖିବା ପାଇଁ ପୁଲିସ ଡିଜେଲ୍‌ ଯୋଗାଇବାକୁ ଧାଇଁ ଯାଇଥିଲା। ଡାକ୍ତରଖାନାରେ ୬ ଜଣ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବରାବର ଅମ୍ଳଜାନ ଯୋଗାଇ ଦେବା ଆବଶ୍ୟକ ପଡୁଥିଲା।

ବଡ଼ଦୋରାରେ ବର୍ଷା ଢାଳିବା ବନ୍ଦ ହୋଇଛି। କିନ୍ତୁ, ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ପ୍ରଶାସନ ଜାଗ୍ରତ ରହିଛି ଏବଂ ପରିସ୍ଥିତିର ମୁକାବିଲା ପାଇଁ ଟିମ୍‌ ସବୁ ପ୍ରସ୍ତୁତ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି କହିଛନ୍ତି।