ଆନ୍ଧ୍ର ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ଗ୍ୟାସ୍‌ ଲିକ୍‌: ୬ ମୃତ; ୪ ଅସୁସ୍ଥ

ଅନନ୍ତପୁର: ଗୁରୁବାର ଦିନ ଅନନ୍ତପୁର ଜିଲ୍ଲା ଅନ୍ତର୍ଗତ ଜମ୍ବୁଳପାଦୁ ଗ୍ରାମରେ ଥିବା ଏସ୍‌ଜେକେ ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ କାର୍ବନ୍‌ ମନୋଅକ୍ସାଇଡ୍‌ ଲିକ୍‌ କରିବାରୁ ଛଅ ଜଣ ଶ୍ରମିକଙ୍କର ମୃତ୍ୟୁ ହେବା ଅନ୍ୟ ଚାରି ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି।

ପ୍ରୋସେସିଙ୍ଗ୍‌ ଚାମ୍ବର୍‌ରେ ଥିବା ଗୋଟିଏ ଗ୍ୟାସ୍‌ ପାଇପ୍‌ରେ ଲିକ୍‌ ହେବା ଯୋଗୁଁ ଏ ଭଳି ଘଟଣା ଘଟିଛି।

ତଡ଼ିପତ୍ରି ଡିଭିଜନ୍‌ର ତହସିଲ୍‌ଦାର୍‌ ଏମ୍‌ ୟାଲ୍ଲାମ୍ମା କହନ୍ତି: ଜଣେ ଶ୍ରମିକ ଚାମ୍ବର ଭିତରକୁ ଯାଇ ନିଶ୍ୱାସରେ ଗ୍ୟାସ୍‌ ଆଘ୍ରାଣ କରିବା ମାତେ ବେହୋସ ହୋଇ ପଡ଼ିଥିଲେ। ଗ୍ୟାସ୍‌ ଲିକ୍‌ କରୁଛି ବୋଲି ଜାଣି ନ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିବାକୁ ଭିତରକୁ ପଶି ଯିବାରୁ କାର୍ବନ୍‌ ମନୋକ୍ସାଇଡ୍‌ ଆଘ୍ରାଣ କରି ଶେଷରେ ମୃତ୍ୟୁ ମୁଖରେ ପଡ଼ିଥିଲେ।

ଦୁଇ ଜଣ ଶ୍ରମିକ ଘଟଣାସ୍ଥଳରେ ମରିଥିବା ବେଳେ ଅନ୍ୟ ଚାରିଜଣ ଡାକ୍ତରଖାନାକୁ ନେବା ବାଟରେ କିଂବା ଡାକ୍ତରଖାନାରେ ମରିଛନ୍ତି।
ଏସ୍‌ଜେକେ ଷ୍ଟିଲ୍‌ସ୍‌ ନାମରେ ଚାଲୁଥିବା ଏହି ପ୍ଲାଣ୍ଟ୍‌କୁ ଚଳାଉଛନ୍ତି କଲ୍ୟାଣି ଷ୍ଟିଲ୍‌ସ୍‌। ବ୍ରାଜିଲ୍‌ର କମ୍ପାନି ଜେରାଡାଉ ଷ୍ଟିଲ୍‌ ଫ୍ୟାକ୍ଟରି ଏହାକୁ ଅଧିଗ୍ରହଣ କରିଛି।

ଅଧିକାରୀମାନଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା କରି ପୀଡ଼ିତମାନଙ୍କ ପରିବାରବର୍ଗଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ନିର୍ଦେଶ ଦେଇଛନ୍ତି।

ଘଟଣାସ୍ଥଳକୁ ଯାଇଥିବା ଯୁଗ୍ମ କଲେକ୍ଟର୍‌ ଡିଲ୍ଲି ରାଓ ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର