ଭୀଷଣ ଥଣ୍ଡା ପବନ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧା ପାଇବାରୁ ରୁଷୀୟ ଆଗ୍ନେୟଗିରିରେ ୬ ଆରୋହୀ ମୃତ

କେମ୍‌ଚତ୍‌କା: ଭୀଷଣ ହେମାଳ ପବନ ବହିବା ହେତୁ ଉଦ୍ଧାର ଉଦ୍ୟମରେ ବାଧା ଉପୁଜିବାରୁ ରବିବାର ଦିନ ରୁଷ୍‌ର ସୁଦୂର ପୂର୍ବ ପ୍ରାନ୍ତରେ ଅବସ୍ଥିତ କ୍ଲାୟୁଚେଭ୍‌ସ୍କାୟା ସୋପ୍‌କା ଆଗ୍ନେୟଗିରି ଚଢ଼ିଥିବା ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୬ଜଣ ଫସି ରହିଥିବା ମନେହେଉଛି।

୨ଜଣ ଗାଇଡ୍‌ଙ୍କ ସମତେ ୧୨ଜଣିଆ ଦଳ ମଙ୍ଗଳବାର ଦିନ ୧୫,୫୯୭ ଫୁଟ୍‌ ଉଚ୍ଚ ଆଗ୍ନେୟଗିରି ଆରୋହଣ କରିବାକୁ ବାହାରିଥିଲେ। କିନ୍ତୁ, ୪,୨୦୦ ମିଟର୍‌ ଉଚ୍ଚରେ ପହଞ୍ଚିଥିବା ବେଳେ ଶନିବାର ଦିନ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ଜଣେ ଆରୋହଣକାରୀଙ୍କ ଗୋଡ଼ ଭାଙ୍ଗିଯାଇଥିବା କଥା ମଧ୍ୟ ସେମାନେ ସୂଚନା ଦେଇଛନ୍ତି।

ଉଦ୍ଧାରକାରୀ ଦଳ ସେମାନଙ୍କ ନିକଟରେ ପହଞ୍ଚିବାକୁ ରବିବାର ଦିନ ଉଦ୍ୟମ କରିଥିଲେ, କିନ୍ତୁ ଭୀଷଣ ହେମାଳ ପବନ ହେଲିକପ୍ଟର୍‌ ଅବତରଣ କରାଇ ନ ଦେବାରୁ ସେମାନେ ଫେରି ଆସିଛନ୍ତି।

Image Courtesy of WION

ଉଦ୍ଧାକାରୀମାନେ ୩,୩୦୦ ଫୁଟ୍‌ ଉଚ୍ଚରେ ଅବତରଣ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ, ଘଣ୍ଟା ପ୍ରତି ୬୭ ମାଇଲ୍‌ ବେଗରେ ପ୍ରବାହିତ ଥଣ୍ଡା ପବନ ଯୋଗୁଁ ସେମାନେ ଅବତରଣ କରିବାରେ ବିଫଳ ହୋଇଥିଲେ। ଅବଶ୍ୟ ଅବତରଣ ନିମନ୍ତେ ସେମାନେ କିଛି ସମୟ ବ୍ୟବଧାନରେ ଦୁଇ ଥର ଉଦ୍ୟମ କରିଥିଲେ।

ଗତରାତିରେ ଉକ୍ତ ଆଗ୍ନେୟଗିରି ଉପରେ ତାପମାତ୍ରା ବିଯୁକ୍ତ ୧୪ ଡିଗ୍ରି ସେଲିସିୟସ୍‌କୁ ଖସି ଆସିଥାଏ।

ଆଞ୍ଚଳିକ ବେସାମରିକ ପ୍ରତିରକ୍ଷା କର୍ତ୍ତୃପକ୍ଷଙ୍କର ଅନ୍ୟତମ ପ୍ରତିନିଧି ତାତିଆନା ୟୁଖମାନୋଭା କହିଛନ୍ତି ଯେ, ଯଦି ପାଗ ଅନୁକୂଳ ରହେ ଆମ ଉଦ୍ଧାରକାରୀମାନେ ଆଗାମୀକାଲି ସେମାନଙ୍କ ନିକଟରେ ପହଞ୍ଚିବେ।

ସୂଚନାଯୋଗ୍ୟ, ରୁଷ୍‌ର କେମ୍‌ଚତ୍‌କା ଉପଦ୍ବୀପରେ ତୃଷାର ଆବୃତ ଶୃଙ୍ଗ ଥିବା ୧୬୦ଟି ଆଗ୍ନେୟଗିରି ମଧ୍ୟରୁ କ୍ଲିୟୁଚେଭ୍‌ସ୍କାୟା ସୋପ୍‌କା ହେଉଛି ଉଚ୍ଚତମ। ଅସାଧାରଣ ପ୍ରାକୃତିକ ସୌନ୍ଦର୍ଯ୍ୟ ନିମନ୍ତେ ଏହାକୁ ‘ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳୀ’ରେ ଅନ୍ତର୍ଭୁକ୍ତ କରାଯାଇଛି।

ଉଦ୍ଧାରକାରୀମାନେ ସତର୍କ କରାଇ କହିଛନ୍ତି ଯେ, ଉଦ୍‌ଗୀରଣରୁ ନିର୍ଗତ ଶିଳାଖଣ୍ଡରେ ତୁଷାର ଓ ବରଫ ମିଶ୍ରିତ ହୋଇ ଏହି ପର୍ବତ ଗଠିତ। ବିଶେଷକରି, ଏହାର ଉଚ୍ଚତା ଏବଂ ଆଗ୍ନେୟ ଉଦ୍‌ଗୀରଣ ହେତୁ ଏହି ପର୍ବତରେ ଆରୋହୀଙ୍କ ପ୍ରତି ବିପଦ ଥାଏ।

ସମ୍ବନ୍ଧିତ ଖବର