ମୁମ୍ବାଇ/ ନୂଆଦିଲ୍ଲୀ: ପାଇଲଟ ଭାବେ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଇଣ୍ଡିଗୋ ପକ୍ଷରୁ କରା ଯାଉଥିବା ଏକ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ‘ଅସାଧୁ ଉପାୟ’ ଅବଲମ୍ବନ କରିବା ଘଟଣା ୬ ଜଣ ପାଇଲଟ୍‌ଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ପାଇଲଟମାନଙ୍କର ଏହି କାରନାମା ଜଣା ପଡ଼ିବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ସଂପୃକ୍ତ ୬ ଜଣ ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଗାମୀ ୬ ମାସ ପର୍ଯ୍ୟନ୍ତ ଏହି ପାଇଲଟମାନେ ଆଉ କୌଣସି ପ୍ରକାରର ନିଯୁକ୍ତି ପରୀକ୍ଷାରେ ଅଂଶ ଗ୍ରହଣ କରି ପାରିବେ ନାହିଁ ବୋଲି ସେମାନଙ୍କ ଉପରେ ନିଷେଧାଦେଶ ଜାରି କରିଛନ୍ତି।

Advertisment

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଇଣ୍ଡିଗୋର ଏ୩୨୦ ବିମାନ ଉଡ଼ାଣ ନିମନ୍ତେ ପାଇଲଟ ନିଯୁକ୍ତି ପାଇଁ ଏକ ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଥିଲା। ପୂର୍ବରୁ ଜେଟ୍‌ ଏୟାରେଓ୍ଵଜ୍‌ରେ ବୋଇଂ ୭୩୭ ବିମାନର ଉଡ଼ାଣ ଭରୁଥିବା ୬ ଜଣ ପାଇଲଟ ଏହି ଲିଖିତ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ। ତେବେ, ପରୀକ୍ଷାରେ ପାସ୍‌ ହୋଇଯିବା ପାଇଁ ଅସାଧୁ ଉପାୟ ଅବଲମ୍ବନ କରୁଥିବା ବେଳେ ଧରା ପଡ଼ି ଯାଇଥିଲେ।