ଗୁଜୁରାଟ ଉପକୂଳରୁ ୧୧ଟି ପାକିସ୍ତାନୀ ବୋଟ୍ ଜବତ, ୬ ଗିରଫ

କଚ୍ଛ : ଭାରତୀୟ ଜଳସୀମା ଅତିକ୍ରମ କରି ଅନୁପ୍ରବେଶ କରିଥିବା ଅଭିଯୋଗରେ ୬ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ସୀମା ସୁରକ୍ଷା ବଳ (ବିଏସଏଫ) ଗିରଫ କରିଛି । ଗତ ବୁଧବାର ଦିନ ଗୁଜୁରାଟ ଉପକୂଳ ନିକଟ ହାରାମି ନାଲ୍ଲା ଅଞ୍ଚଳରେ ସେମାନଙ୍କ ଡଙ୍ଗାଗୁଡ଼ିକ ଚିହ୍ନଟ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ପ୍ରଥମେ କିଛି ସଂଦିଗ୍ଧ ଡଙ୍ଗା ଦେଖାଯିବା ପରେ ବିଏସଏଫ୍ ଓ ଗୁଜୁରାଟ ମେରାଇନ ପୁଲିସ ପକ୍ଷରୁ ଭାରତୀୟ ଜଳସୀମା ମଧ୍ୟରେ ପ୍ରାୟ ୩୦୦ ବର୍ଗ କିଲୋମିଟର ପରିମିତ ଅଂଚଳରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ମୋଟ ୧୧ଟି ପାକିସ୍ତାନୀ ମାଛଧରା ବୋଟ୍ ଜବତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଆଉ କିଛି ପାକିସ୍ତାନୀ ବୋଟ୍ ଥିବା ସଂଦେହ କରାଯାଉଛି । ଏଥିପାଇଁ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ସର୍ଚ୍ଚ ଅପରେସନ ବେଳେ ବିଏସଏଫ୍ ପକ୍ଷରୁ କ୍ୟାମେରା ଲାଗିଥିବା କେତେକ ଡ୍ରୋନ ଛଡ଼ାଯାଇଥିଲା । ଡ୍ରୋନ ଫଟୋରୁ ୯ଟି ପାକିସ୍ତାନୀ ବୋଟ୍ ଚିହ୍ନଟ ହେବା ପରେ ବିଏସଏଫ ପକ୍ଷରୁ ତୁରନ୍ତ ସେଠାରେ ପହଞ୍ଚି ବୋଟଗୁଡ଼ିକୁ ଜବତ କରାଯାଇଥିଲା ବୋଲି ବିଏସଏଫ, ଗୁଜୁରାଟ ଫ୍ରଣ୍ଟିଅରର ମହାନିର୍ଦ୍ଦେଶକ ଜିଏସ ମଲ୍ଲିକ କହିଛନ୍ତି ।

ଗୁଜୁରାଟ ଉପକୂଳ ହାରାମି ନଲ୍ଲା ଅଞ୍ଚଳରେ ଘନ କୁହୁଡ଼ି ଓ ହେନ୍ତାଳ ବଣ ଯୋଗୁଁ ଲୁଚିଥିବା ସବୁ ପାକିସ୍ତାନୀ ବୋଟକୁ ଖୋଜିବା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ସୁରକ୍ଷା ଦୃଷ୍ଟିକୋଣରୁ ଏହି ଅଂଚଳ ବେଶ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସର୍ଚ୍ଚ ଅପରେସନରେ ବାୟୁସେନା ହେଲିକପ୍ଟରକୁ ବି ନିୟୋଜିତ କରାଯାଇଛି ।

ସମ୍ବନ୍ଧିତ ଖବର