ଶ୍ରୀନଗର : ଜମ୍ମୁ କଶ୍ମୀରରେ ଆଜି ସୁରକ୍ଷାବାହିନୀକୁ ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷାବାହିନୀଙ୍କ ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନ ଯୋଗୁ ଆଜି ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲ୍ଲାରେ ଲସ୍କର-ଇ-ତୋଇବା (ଏଲ୍‌ଇଟି) ଏବଂ ଜୈଶ-ଇ-ମହମ୍ମଦ (ଜେଇଏମ୍‌)ର ୬ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟାକାରୀ ମଧ୍ୟ ରହିଛି। ସାମ୍ବାଦିକ ସୁଜାତ ବୁଖାରୀଙ୍କୁ ଗତ ଜୁନ୍‌ ୧୪ ତାରିଖରେ ହତ୍ୟା କରାଯାଇଥିଲା। ସୁଜାତ ବୁଖାରୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଆତଙ୍କବାଦୀ ହେଉଛି ଶୀର୍ଷ ଲସ୍କର କମାଣ୍ଡର ଆଜାଦ୍‌ ମଲ୍ଲିକ।

Advertisment

ଆଜିର କାର୍ଯ୍ୟାନୁଷ୍ଠାନରେ ଆଜାଦ ନିହତ ହୋଇଥିବାରୁ ଏହା ସୁରକ୍ଷାବାହିନୀ ପାଇଁ ଏକ ବଡ଼ଧରଣର ସଫଳତା ବୋଲି କୁହାଯାଉଛି। ଅପରେସନ୍‌ରେ କୌଣସି ଯବାନ ଆହତ ହୋଇନାହାନ୍ତି କି‌ ସେନାବାହିନୀର କୌଣସି କ୍ଷୟକ୍ଷତି ମଧ୍ୟ ହୋଇନାହିଁ।

ସୂଚନାନୁଯାୟୀ, ଅନନ୍ତନାଗ ଜିଲ୍ଲାର ବିଜବେହର ଅଞ୍ଚଳ ସ୍ଥିତ ଦଶନିପୁରାର ସାଲଗୁଣ୍ଡ ଗ୍ରାମରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ଗତକାଲି ରାତିରୁ ସେନାବାହିନୀର ୩ ଆରଆର ଏବଂ ଏସ୍‌ଜି ଅନନ୍ତନାଗର ମିଳିତ ଉଦ୍ୟମରେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିଚାଳନା କରିବା ଫଳରେ ଏହାର ପାଲଟା ଜବାବ ଦେଇ ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ପ୍ରବଳ ଗୁଳିଚାଳନା କରାଇଥିଲା। ଉଭୟ ପକ୍ଷର ଗୁଳିମାଡ଼ରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନ୍‌କାଉଣ୍ଟର ସ୍ଥଳରୁ ୬ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି ଏବଂ ଏଥିସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ନିହତ ଆତଙ୍କବାଦୀଙ୍କୁ ଯଥାକ୍ରମେ ଆଜାଦ ଅହମ୍ମଦ ମଲିକ ଓରଫ୍‌ ଦାଦା, ବସିତ ମିର, ଉନେସ୍‌, ଅକିବ୍‌, ଶାହିଦ, ଫିରଦୋସ ଅହମ୍ମଦ ବୋଲି ଚିହ୍ନଟ କରାଯାଇଛି। ଅନନ୍ତନାଗରେ ଏବେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଉଲ୍ଲେଖଯୋଗ୍ୟ, ଗତ ୩ ଦିନ ପୂର୍ବେ ସୋପିଆନ ଜିଲ୍ଲାରେ ଏନ୍‌କାଉଣ୍ଟର ହୋଇ ୪ ଆତଙ୍କବାଦୀ ନିହତ ହୋଇଥିଲେ।