ସୋପିଆନ୍‌ରେ ଟଳିଲେ ୬ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀଙ୍କ ଆତଙ୍କବାଦ ନିପାତ କାର୍ଯ୍ୟାନୁଷ୍ଠାନରେ ଗତ ୭୨ ଘଣ୍ଟା ମଧ୍ୟରେ ୧୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହା ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ଧରଣର ସଫଳତା ବୋଲି କୁହାଯାଉଛି। ଆଜି ଦକ୍ଷିଣ କଶ୍ମୀରର ସୋପିଆନ୍‌ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଛି। ଫଳରେ ହିଜବୁଲ୍‌ ଏବଂ ଲସ୍କର ଜିଲ୍ଲା କମାଣ୍ଡର ସମେତ ୬ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ନାମ ନାଏକ ନଜିର ଅହମ୍ମଦ। ସେ ଦୁଇ ଥର ସେନା ମେଡାଲ୍‌ ପୁରସ୍କାର ପାଇଛନ୍ତି।

ଆଜି ସୁରକ୍ଷାକର୍ମୀଙ୍କ ଆତଙ୍କବାଦ ନିରୋଧ କାର୍ଯ୍ୟାନୁଷ୍ଠାନକୁ ଅନେକ ସଂଖ୍ୟାରେ ସ୍ଥାନୀୟ ବ୍ୟକ୍ତି ବିରୋଧ କରିବାରୁ ଏହାକୁ ନେଇ ତୀବ୍ର ହିଂସା ଉପୁଜିଥିଲା। ସୁରକ୍ଷାକର୍ମୀ ଏବଂ ବିଶୃଙ୍ଖଳ ଜନତାଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ଏବଂ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ସ୍ଥାନୀୟ ଲେ‌ାକେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିବା‌ ଫଳରେ ସୁରକ୍ଷା କର୍ମୀ ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବା ପାଇଁ ‌ପେ‌ଲେଟ୍‌ ଏବଂ‌ ଗୁଳି ଚାଳନା କରିଥିଲେ। ୫୧ ଜଣଙ୍କ ଶରୀରରେ ‌ପେଲେଟ୍‌ ଏବଂ ଗୁଳି ମାଡ଼ ହୋଇଛି। ଜଣେ ‌୨ ବର୍ଷର ଶିଶୁ ଆଖିରେ ପେଲେଟ୍‌ ମାଡ଼ ହୋଇଥିବା ଜଣାପଡ଼ିଛି। ଜଣେ ୧୮ ମାସର ଶିଶୁ ମଧ୍ୟ ଆହତ ହୋଇଛି।

ସୂଚନାନୁଯାୟୀ, ସୋ‌ପିଆନ୍‌ ଜିଲ୍ଲାର ବାଟଗୁଣ୍ଡ ଗ୍ରାମସ୍ଥିତ ଏକ ଘରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇବା ପରେ ରାଷ୍ଟ୍ରୀୟ ରାଇଫଲ୍ସ, ଏସ୍‌ଓଜି ଏବଂ ସିଆରପିଏଫ୍‌ର ଏକ ମିଳିତ ଟିମ୍‌ ଗତକାଲି ମଧ୍ୟରାତ୍ରିରୁ ଏହି ଗ୍ରାମକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରିଥିଲେ। ତେବେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀ ଲୁଚିଥିବା ଘରର ପାଖାପାଖି ହେବା ସମୟରେ ଆତଙ୍କବାଦୀମାନେ ଅତର୍କିତ ଗୁଳି ଚାଳନା କରିଥିଲେ। ପାଲଟା ଜବାବ ଦେଇ ସୁରକ୍ଷାକର୍ମୀ ମଧ୍ୟ ଜୋରଦାର ଗୁଳି ଚାଳନା କରିଥିଲେ। ଉଭୟ ପକ୍ଷ ମଧ୍ୟରେ ପାଖାପାଖି ୩ ଘଣ୍ଟାର ଗୁଳି ବିନିମୟ ଜାରି ରହିଥିଲା। ଶେଷରେ ୬ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଏନ୍‌କାଉଣ୍ଟର ସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ୪ ଜଣ ହିଜବୁଲ ଆତଙ୍କବାଦୀ ଥିବା ବେଳେ ୨ ଜଣ ଲସ୍କର ଆତଙ୍କବାଦୀ ଅଛନ୍ତି। ସେମାନଙ୍କୁ ଯଥାକ୍ରମେ ଏଲଇଟି ଜିଲ୍ଲା କମାଣ୍ଡର ମୁସ୍ତାକ ମିର୍‌, ହିଜବୁଲ୍‌ ଜିଲ୍ଲା କମାଣ୍ଡର ଅବ୍ବାସ୍‌ ଅଲି, ସୋପିଆନ୍‌ରେ ହିଜବୁଲ୍‌ ଉପମୁଖ୍ୟ ୱାସିମ୍‌ ଓାଗେ, ଓମାର ମଜିଦ୍‌ ଗନି, ଖଲିଦ ଫାରୁକ୍‌ ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ଜଣେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଅନନ୍ତନାଗ ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀ ନିହତ ହୋଇଥି‌ଲେ ଏବଂ ଏହା ପୂର୍ବରୁ ଗତ ବୁଧବାର ଦିନ ସୋପିଆନ୍‌ ଜିଲ୍ଲାରେ ଏନକାଉଣ୍ଟର ହୋଇ ୪ ଆତଙ୍କବାଦୀ ନିହତ ହୋଇଥିଲେ। ଗତ ୪ ଦିନ ମଧ୍ୟରେ ସମୁଦାୟ ୧୬ ଆତଙ୍କବାଦୀ ନିହତ ହୋଇଛନ୍ତି।

ସମ୍ବନ୍ଧିତ ଖବର