ଷଷ୍ଠ ମହାସାଗରର ସନ୍ଧାନ, ପୃଥିବୀର ଅଭ୍ୟନ୍ତରରେ ରହିଛି

ନୂଆଦିଲ୍ଲୀ : ପୃଥିବୀରେ ୫ଟି ମହାସାଗର ରହିଥିବା ସମସ୍ତେ ଜାଣିଛନ୍ତି। ସେହି ମହାସାଗରଗୁଡ଼ିକ ହେଲା ଆଟ୍‌ଲାଣ୍ଟିକ, ପ୍ରଶାନ୍ତ, ଭାରତ, ଆର୍ଟିକ୍ ଏବଂ ଦକ୍ଷିଣ ମହାସାଗର। କିନ୍ତୁ ବୈଜ୍ଞାନିକମାନେ ପୃଥିବୀରେ ଆଉ ଏକ ମହାସାଗରର ସନ୍ଧାନ ପାଇଛନ୍ତି। ସେହି ମହାସାଗରଟି କିନ୍ତୁ ଅନ୍ୟ ମହାସାଗର ଭଳି ପୃଥିବୀ ପୃ‌ଷ୍ଠରେ ନାହିଁ। ତାହା ପୃଥିବୀର ଅଭ୍ୟନ୍ତରରେ ରହିଛି। ପୃଥିବୀର କେନ୍ଦ୍ର ଏବଂ ଭୂପୃଷ୍ଠ ମଧ୍ୟରେ ଏହି ମହାସାଗର ରହିଛି। ଏଥିରେ ବିପୁଳ ପରିମାଣର ଜଳରାଶି ରହିଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏକ ବିରଳ ହୀରାର ବିଶ୍ଳେଷଣ ସମୟରେ ବୈଜ୍ଞାନିକମାନେ ଏପରି ମହାସାଗର ସଂପର୍କିତ ପ୍ରମାଣ ପାଇଛନ୍ତି।

ମହାସାଗରଟି ପୃଥିବୀ ପୃଷ୍ଠରୁ ୬୬୦ କିଲୋମିଟର ଅଭ୍ୟନ୍ତରରେ ରହିଛି। ଜର୍ମାନୀ, ଇଟାଲି ଏବଂ ଆମେରିକାର ଗବେଷକମାନଙ୍କ ଦ୍ବାରା କରାଯାଇଥିବା ଉକ୍ତ ଅନୁଧ୍ୟାନ ନେଚର ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଗବେଷକଙ୍କ କହିବାନୁଯାୟୀ ପୃଥିବୀର ଉପର ମେଣ୍ଟାଲ ଏବଂ ନିମ୍ନ ମେଣ୍ଟାଲକୁ ପୃଥକ୍‌ କରୁଥିବା ପ୍ରାଚୀର ସ୍ତର (ବାଉଣ୍ଡାରି ଲେୟାର) ଯାହାକୁ ଟ୍ରାଞ୍ଜିସନ‌ ଜୋନ୍ କୁହାଯାଉଛି, ତାହା ୪୧୦ରୁ ୬୬୦ କିଲୋମିଟର ଗଭୀରତାରେ ରହିଛି।

ବୈଜ୍ଞାନିକମାନେ କହିଛନ୍ତି ଯେ ଟ୍ରାଞ୍ଜିସନ ଜୋନ୍ ଏକ ଶୁଖିଲା ସ୍ପଞ୍ଜ ନୁହେଁ, ଏଥିରେ ପର୍ଯ୍ୟାପ୍ତ ମାତ୍ରାର ଜଳ ରହିଛି। ତେଣୁ ବୈଜ୍ଞାନିକମାନଙ୍କ ଏହି ସନ୍ଦର୍ଭ ବିଶ୍ବର ବିଶିଷ୍ଟ ବିଜ୍ଞାନ କଥାକାର ଜୁଲ୍ସ ବର୍ଣ୍ଣଙ୍କ ଚିନ୍ତାଧାରା ପୃଥିବୀ ଭିତରେ ମହାସାଗର ରହିଥିବା ସହ ନିକଟତର କରାଇଛି।

ସମ୍ବନ୍ଧିତ ଖବର