ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଆସନ୍ତାକାଲି (ଶନିବାର) ଭୋଟ୍ ଗ୍ରହଣ ହେବ। ଷଷ୍ଠ ପର୍ଯ୍ୟାୟରେ ୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୫୮ଟି ଆସନରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଏଥିରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଦିଲ୍ଲୀର ସମସ୍ତ ୭ଟି ଆସନ, ଉତ୍ତରପ୍ରଦେଶରେ ୧୪ ଆସନ, ହରିୟାଣାରେ ସମସ୍ତ ୧୦ ଲୋକସଭା ଆସନ, ବିହାର ଏବଂ ପଶ୍ଚିମବଙ୍ଗରେ ୮ ଲେଖାଏଁ ଆସନ, ଓଡ଼ିଶାରେ ୬, ଝାଡ଼ଖଣ୍ଡରେ ୪ ଏବଂ ଜମ୍ମୁ କାଶ୍ମୀରରେ ଗୋଟିଏ ଆସନରେ ଭୋଟ୍ ଗ୍ରହଣ ହେବ। ଷଷ୍ଠ ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ (ବିଜେପି), ବାଂଶୁରୀ ସ୍ବରାଜ (ବିଜେପି), ମନୋଜ ତିୱାରୀ (ବିଜେପି), କହ୍ନେୟା କୁମାର (କଂଗ୍ରେସ), ମେନକା ଗାନ୍ଧୀ (ବିଜେପି), ମେହବୁବା ମୁଫ୍ତି (ପିଡିପି), ଅଭିଜିତ ଗଙ୍ଗୋପାଧ୍ୟାୟ (ବିଜେପି), ମନୋହର ଲାଲ୍ ଖଟ୍ଟର (ବିଜେପି), ନବୀନ ଜିନ୍ଦଲ (ବିଜେପି) ଏବଂ ରାଓ ଇନ୍ଦରଜିତ ସିଂହ (ବିଜେପି)।
ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୫୭ଟି ଆସନ ପାଇଁ ଜୁନ୍ ୧ ତାରିଖରେ ଭୋଟ୍ ଗ୍ରହଣ ହେବ। ଏଯାବତ ୨୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୪୨୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଶେଷ ହୋଇଛି। ତେବେ ଇସି (ନିର୍ବାଚନ କମିସନ୍)ଙ୍କ ଦ୍ବାରା ଦିଆଯାଇଥିବା ଅପଡେଟ୍ ତଥ୍ୟ ଅନୁଯାୟୀ ପଞ୍ଚମ ପର୍ଯ୍ୟାୟରେ ୬୨.୨ ପ୍ରତିଶତ, ଚତୁର୍ଥ ପର୍ଯ୍ୟାୟରେ ୬୯.୨ ପ୍ରତିଶତ, ତୃତୀୟ ପର୍ଯ୍ୟାୟରେ ୬୫.୭ ପ୍ରତିଶତ, ଦ୍ବିତୀୟ ପର୍ଯ୍ୟାୟରେ ୬୬.୭ ପ୍ରତିଶତ ଏବଂ ପ୍ରଥମ ପର୍ଯ୍ୟାୟରେ ୬୬.୧ ପ୍ରତିଶତ ମତଦାନ ହୋଇଥିଲା। ଏଡିଆର (ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ) ରିପୋର୍ଟ ଅନୁଯାୟୀ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପ୍ରାୟ ୩୯ ପ୍ରତିଶତ ପ୍ରାର୍ଥୀ କୋଟିପତି। ସେମାନଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୬.୨୧ କୋଟି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/fshfhsfhsf.jpg)