ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଏକ ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଉକ୍ତ ପରିବାର ସଂପୂର୍ଣ୍ଣ ନିଛାଟିଆ ଜୀବନ ବିତାଉଥିଲେ ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିଲେ ବୋଲି ସମ୍ପର୍କୀୟମାନେ ପୁଲିସକୁ କହିଛନ୍ତି। ଶେଷ ଥର ପାଇଁ ଜୁଲାଇ ୨୦୧୯ରେ ପରିବାରର ୫ ଜଣଙ୍କୁ ଦେଖିବାକୁ ମିଳିଥିଲା ଏବଂ ସେମାନଙ୍କ ବାସଭବନରେ ତାଲା ପଡ଼ିଥିଲା। ପ୍ରାୟ ଦୁଇ ମାସ ତଳେ ସକାଳୁ ବୁଲିବା ବେଳେ ସ୍ଥାନୀୟ ଲୋକେ ମୁଖ୍ୟ କାଠ କବାଟ ଭାଙ୍ଗି ଯାଇଥିବା ଦେଖିଥିଲେ ମଧ୍ୟ ପୁଲିସକୁ ଖବର ଦିଆଯାଇନଥିଲା। ଘଟଣାସ୍ଥଳକୁ ଅଧିକ ଯାଞ୍ଚ କରିବା ପରେ ଘର ଭିତରେ ଏକାଧିକ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗୋଟିଏ କୋଠରୀରେ ୪ଟି କଙ୍କାଳ (୨ଟି ଶଯ୍ୟାରେ ଓ ୨ଟି ଚଟାଣରେ) ମିଳିଥିବା ବେଳେ ଅନ୍ୟ ଏକ କୋଠରୀରୁ ଆଉ ଏକ କଙ୍କାଳ ମିଳିଥିଲା।
ସେପଟେ ପ୍ରମାଣ ସଂଗ୍ରହ ପାଇଁ ଦେବଙ୍ଗେର ଓ ସିନ୍ ଅଫ୍ କ୍ରାଇମ୍ ଅଫିସର (ଏସ୍ଓସିଓ)ର ଫରେନସିକ୍ ସାଇନ୍ସ ଲାବୋରେଟୋରି (ଏଫ୍ଏସ୍ଏଲ୍) ଟିମ୍କୁ ଡକାଯାଇ ଘର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପରିଚିତ, ସମ୍ପର୍କୀୟ ଏବଂ ପାରିବାରିକ ଇତିହାସକୁ ଆଧାର କରି କରାଯାଇଥିବା ଆକଳନ ଅନୁଯାୟୀ, ମୃତଦେହଗୁଡ଼ିକ ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧ ଦମ୍ପତି, ସେମାନଙ୍କ ବୟସ୍କ ପୁଅ, ଝିଅ ଏବଂ ସେମାନଙ୍କର ୫୭ ବର୍ଷୀୟ ନାତିର ବୋଲି ସନ୍ଦେହ କରାଯାଉଛି। ତେବେ ଫରେନସିକ୍ ରିପୋର୍ଟ ପରେ ମୃତକଙ୍କ ପରିଚୟ ସ୍ପଷ୍ଟ ହେବ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।