ତୃଣମୂଳ ସ୍ତରରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ : ଓଡ଼ିଶାରେ ପ୍ରତିଷ୍ଠା ହୋଇଛି ୨୭ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଜିଲ୍ଲାରୁ ଗ୍ରାମ ପ୍ରଞ୍ଚାୟତ ପର୍ଯ୍ୟନ୍ତ ଲୋକମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯାଇ ରୋଜଗାର ସୃଷ୍ଟି କରାଯାଇ ପାରିବ। ପ୍ରଶିକ୍ଷଣ ସମ୍ବନ୍ଧିତ ରାଜ୍ୟର ଜିଲ୍ଲା ଓ ପଞ୍ଚାୟତର ଆବଶ୍ୟକତା ଅନୁସାରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଦକ୍ଷତା ବିକାଶ ପାଠ୍ୟକ୍ରମକୁ ପ୍ରସ୍ତୁତ କରାଯିବ। ରାଜ୍ୟ ସରକାରଙ୍କ ସହିତ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ କରାଯାଇଛି ଏବଂ ଆଗାମୀ ଦିନରେ ଆଉ ଦୁଇଟି ବୈଠକ ହେବ ବୋଲି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଡ୍ରାଫ୍ଟ ଚିଠା ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ। ଜିଲ୍ଲା ସ୍ତରରେ ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ସ୍ବଳ୍ପକାଳୀନ କୌଶଳ ବିକାଶ କେନ୍ଦ୍ର ସଞ୍ଚାରିତ କରି ଲୋକମାନଙ୍କୁ ପ୍ରଶିକ୍ଷଣ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ଆଇଟିଆଇ କେନ୍ଦ୍ରଗୁଡ଼ିକର ବ୍ୟାପକ ଉପଯୋଗ କରାଯିବ। ଏହି କାର୍ଯ୍ୟକ୍ରମ ଏପ୍ରିଲ ସୁଦ୍ଧା ଆରମ୍ଭ ହେବାର ସମ୍ଭାବନା ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଥିରେ ଜିଲ୍ଲା କୌଶଳ ବିକାଶ କମିଟିକୁ ଅଧିକ ଅଧିକାର ଦିଆଯାଇ ସଶକ୍ତ କରାଯିବ। ଓଡ଼ିଶାରେ ମଧ୍ୟ ଏହି ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଗୁଡ଼ିକୁ ତ୍ବରାନ୍ବିତ କରାଯିବ। ଦକ୍ଷତା ବିକାଶ ମିସନର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ୨୦୧୬ରୁ ୨୦୨୦ ସୁଦ୍ଧା ଦେଶରେ ଏକ କୋଟି ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟରୁ ଜାନୁଆରି ୧୭, ୨୦୨୦ ସୁଦ୍ଧା ୭୩,୪୭ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ ଓଡ଼ିଶାରୁ ୧,୧୦,୯୧୫ ଜଣ ପ୍ରଶିକ୍ଷଣ ପାଇସାରିଥିବା ବେଳେ ୪୮,୪୮୭ ଜଣ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ସାରିଛନ୍ତି। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାର ଗ୍ରାମୀଣ ଅଞ୍ଚଳରେ ୨୦୧୪-୧୫ରେ ୪୫,୭୭୯ ଜଣ, ୨୦୧୫-୧୬ରେ ୪୦୧୬୩ ଜଣ, ୨୦୧୬-୧୭ରେ ୪୮୪୮୦ ଜଣ, ୨୦୧୭-୧୮ରେ ୩୮୮୩୦ ଜଣ, ୨୦୧୮-୧୯ରେ ବର୍ଷିକିଆ ଓ ଦୁଇ ବର୍ଷିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ୯୪୪୧୬ ଜଣ ପ୍ରଶିକ୍ଷଣ ହାସଲ କରିସାରିଛନ୍ତି। ଏହାବ୍ୟତୀତ ଓଡ଼ିଶାରେ ମଞ୍ଜୁର କରାଯାଇଥିବା ୩୦ଟି ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରରୁ ୨୭ଟି ସ୍ଥାପନ କରାଯାଇଛି ଏବଂ ସେଥିରେ ପ୍ରଶିକ୍ଷଣ କାର୍ଯ୍ୟ ଜାରି ରହିଛି। ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଉଥିବା ପ୍ରୟାସରୁ ଓଡ଼ିଶାର ଅଧିକ ସଂଖ୍ୟକ ଯୁବକମାନେ ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ପ୍ରଶିକ୍ଷଣର ଫାଇଦା ଉଠାଇବା ସମ୍ଭାବନା ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର