‘ଷ୍ଟାର୍ଟଅପ୍‌ସ ଫର୍‌ ରେଲ୍‌ୱେଜ୍‌’ ଦ୍ବାରା ଦକ୍ଷତା ବୃଦ୍ଧି ପାଇବ: ରେଳମନ୍ତ୍ରୀ

ନୂଆଦିଲ୍ଲୀ : ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ନବସୃଜନ (ଇନୋଭେସନ) କ୍ଷେତ୍ରରେ ଷ୍ଟାର୍ଟଅପ୍ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କର ସହଯୋଗ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ରେଳ, ଯୋଗାଯୋଗ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀସ୍ଥିତ ରେଳଭବନଠାରେ ‘ଷ୍ଟାର୍ଟଅପ୍‌ସ ଫର୍ ରେଲ୍‌ୱେଜ୍‌’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ନୂଆନୀତି ଫଳରେ ଭାରତୀୟ ରେଳବାଇ ନବ ଉନ୍ମେଷିତ ଷ୍ଟାର୍ଟଅପ୍ ଉଦ୍ୟୋଗର ସହଯୋଗରେ ନିଜର କାର୍ଯ୍ୟଦକ୍ଷତା, ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ବିଶେଷ ଉପକୃତ ହୋଇପାରିବ। ସମ୍ପୃକ୍ତ ଉଦ୍ୟୋଗ ତାହାର ନବସୃଜନକାରୀ ପ୍ରଯୁକ୍ତି ମାଧ୍ୟମରେ ଭାରତୀୟ ରେଳବାଇର ବିକାଶ ଯାତ୍ରାରେ ଅଂଶୀଦାର ହୋଇପାରିବେ। ଭାରତରେ ଏବେ ଯେଉଁ ଷ୍ଟାର୍ଟଅପ୍ ଉଦ୍ୟୋଗ ରହିଛି ତାହାର ସାମର୍ଥ୍ୟର ଯଥାର୍ଥ ଉପଯୋଗ ଏଯାବତ୍ ହୋଇନାହିଁ। ଏହି ଉଦ୍ୟୋଗ ଦ୍ୱାରା ବିକଶିତ ଇନୋଭେଟିଭ ଟେକ୍‌ନୋଲୋଜିର ଲାଭ ରେଳବାଇ ଉଠାଇ ପାରିବ। ଏହାଦ୍ୱାରା ରେଳବାଇର ନିରାପତ୍ତା ବ୍ୟବସ୍ଥାର ଯଥେଷ୍ଟ ଉନ୍ନତି ଆସିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

‘ଷ୍ଟାର୍ଟଅପ୍‌ସ ଫର୍‌ ରେଲ୍‌ୱେଜ୍‌’ ନୀତି ବା ଯୋଜନାର ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ଲାଟଫର୍ମ ମାଧ୍ୟମରେ ଭାରତୀୟ ରେଳବାଇ ସହିତ ସମ୍ପୃକ୍ତ ହେବାକୁ ଷ୍ଟାର୍ଟଅପ୍ ସମୂହ ଏକ ଭଲ ସୁଯୋଗ ପାଇବେ। ଏହି ଯୋଜନାରେ ଇନୋଭେଟରମାନଙ୍କୁ ସରକାର ୫୦ ଶତାଂଶ ଭିତ୍ତିରେ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଯୋଗାଇ ଦେବେ। ଅବଶିଷ୍ଟ ୫୦ ଶତାଂଶ ଅର୍ଥ ଭାଗିଦାରୀ ଭିତ୍ତିରେ ସମ୍ପୃକ୍ତ ଷ୍ଟାର୍ଟଅପ୍‌କୁ ଖର୍ଚ୍ଚ କରିବାକୁ ପଡିବ। ଇନୋଭେସନରେ ସଫଳତା ଓ ଉପଲବ୍ଧି ଆଧାରରେ ସମ୍ପୃକ୍ତ ଇନୋଭେଟର ସରକାରୀ ଅନୁଦାନ ପାଇବେ। ରେଳବାଇର ବିଭିନ୍ନ ପ୍ରମୁଖ ସମସ୍ୟାବଳୀର ତଥ୍ୟ ଅନଲାଇନରେ ଉପଲବ୍ଧ ହେବ। ଇନୋଭେଟରମାନଙ୍କୁ ଏହିସବୁ ସମସ୍ୟାର ସମାଧାନ ସୂତ୍ର ବାହାର କରିବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ସମସ୍ୟାବଳୀର ସମାଧାନ ନିମନ୍ତେ ସମ୍ପୃକ୍ତ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ମଡେଲ/ଡିଜାଇନ ପ୍ରସ୍ତୁତ କରିବାକୁ ପଡିବ। ସମସ୍ତ କାର୍ଯ୍ୟ ଅନଲାଇନ ବ୍ୟବସ୍ଥାରେ ସ୍ୱଚ୍ଛତାର ସହ କରାଯିବ। ବିକଶିତ ମଡେଲର ପରୀକ୍ଷାମୂଳକ ପ୍ରୟୋଗ ରେଳବାଇ ଦ୍ୱାରା କରାଯିବ। ଏହାର ସଫଳତା ଆଧାରରେ ରେଳବାଇ ସମ୍ପୃକ୍ତ ଇନୋଭେଟରଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ବିକଶିତ ଟେକ୍‌ନୋଲୋଜିର ଉତ୍ପାଦନ ପାଇଁ ସହାୟତା କରିବ ଏବଂ ଏହାକୁ ରେଳବାଇ ବ୍ୟବହାର କରିବ।

ରେଳବାଇ ଇନୋଭେଟରମାନଙ୍କୁ ନିଜର ନୂଆ ଟେକ୍‌ନୋଲୋଜିର ଅଧିକ ବିକାଶ ପାଇଁ ନିଶ୍ଚିତ ସହଯୋଗ କରିବେ ଏବଂ ତାହାର ସଫଳତାକୁ ପରଖି ବ୍ୟବହାର କରିବେ। ବିଳମ୍ବ ଦୂର କରିବା ପାଇଁ ସମ୍ପୂର୍ଣ୍ଣ ଉତ୍ପାଦ ବିକାଶ ପ୍ରକ୍ରିୟାକୁ ରେଳଡିଭିଜନ ସ୍ତରରେ କରାଯିବ। ମେ ମାସରେ ରେଳବାଇ ତାହାର ଫିଲ୍ଡ ୟୁନିଟ୍‌ଗୁଡିକୁ ଏକ ନିର୍ଦ୍ଦେଶନାମା ଜାରି କରି ବିଭିନ୍ନ ପ୍ରମୁଖ ସମସ୍ୟାର ତାଲିକା ପଠାଇବାକୁ କହିଥିଲା। ସେହି ଭିତ୍ତିରେ ଏପର୍ଯ୍ୟନ୍ତ ବିଭିନ୍ନ ଡିଜିଜନ/ଜୋନ ଓ ୟୁନିଟ୍‌ରୁ ୧୬୦ ସମସ୍ୟା ସମ୍ବଳିତ ବିବରଣୀ ରେଳବାଇର ହସ୍ତଗତ ହୋଇଛି। ସେଥିମଧ୍ୟରୁ ୧୧ଟି ସମସ୍ୟାକୁ ବଛାଯାଇ ପ୍ରଥମ ପର୍ଯ୍ୟାୟରେ ତାହାର ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏସବୁର ସମାଧାନ ଦାୟିତ୍ୱ ଷ୍ଟାର୍ଟଅପ୍‌/ଏମ୍‌ଏସ୍‌ଏମଇ/ଇନୋଭେଟର ଓ ଉଦ୍ୟୋଗମାନଙ୍କୁ ଦିଆଯିବ। ଏହାର ତାଲିକା ପୋର୍ଟାଲରେ ଅପ୍‌ଲୋଡ ହୋଇଛି।

ସମ୍ବନ୍ଧିତ ଖବର