ଦକ୍ଷ ମାନବ ସମ୍ବଳ ସୃଷ୍ଟି ନିମନ୍ତେ ଶିକ୍ଷା ଓ ଦକ୍ଷତାକୁ ଏକାଠି କରିବା ଜରୁରୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ସହ ଦକ୍ଷତା କର୍ମଶାଳା

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ କର୍ମଶାଳାରେ ଯୋଗଦେଇ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ)ଗୁଡ଼ିକ ସହ ଆପ୍ରେଂଟିସ୍‌ସିପ୍‌କୁ ପ୍ରୋତ୍ସାହନ ଦେବା ଏବଂ ସ୍କିଲ୍‌ ଇଣ୍ଡିଆ ୨.୦କୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଦକ୍ଷତା ବିକାଶକୁ ନୂଆ ଉପାୟରେ ଅନ୍ୱେଷଣ କରିବା ଲାଗି ପିଏସୟୁଗୁଡ଼ିକୁ ଆହ୍ୱାନ କରିଛନ୍ତି।

ଆଗାମୀ ବର୍ଷେ ମଧ୍ୟରେ ୧୦ ଲକ୍ଷ ଆପ୍ରେଂଟିସ୍‌ଙ୍କୁ ଯୋଡ଼ିବା ଲକ୍ଷ୍ୟରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦକ୍ଷତା ବିକାଶ ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହ ସଂସ୍ଥାଗୁଡ଼ିକ ପାଇଁ ଉଭୟ ଉତ୍ପାଦନ ଏବଂ ଲାଭ ବୃଦ୍ଧି କରିବ। ଚଳିତବର୍ଷ ବଜେଟରେ ମଧ୍ୟ ଦକ୍ଷତା ଏବଂ ଶିଳ୍ପାନୁଷ୍ଠାନ ମଧ୍ୟରେ ସଂଯୋଗକୁ ମଜଭୁତ କରିବା ଦିଗରେ ଧ୍ୟାନ ଦିଆଯାଇଛି। ତେଣୁ ଦକ୍ଷତା ବିକାଶକୁ ନୂଆ ଉପାୟରେ ଅନ୍ୱେଷଣ କରିବା ଦିଗରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଧ୍ୟାନ କେନ୍ଦ୍ରିତ କରିବା ଦରକାର। ବିଶେଷ ଭାବରେ ସ୍ଥାନୀୟ ଅଂଚଳର ଆଇଟିଆଇ, ଜନ ଶିକ୍ଷଣ ସଂସ୍ଥା ସହ ଯୋଡ଼ିହେବା, ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆପ୍ରେଂଟିସ୍‌ସିପ୍ ସହ ନିୟୋଜିତ କରିବା, ଏନ୍‌ଏସ୍‌କ୍ୟୁଏଫ୍‌ ବା ଜାତୀୟ ସ୍ତରରେ ସମନ୍ୱିତ ଶିକ୍ଷା ଏବଂ ଦକ୍ଷତା ସହ ସ୍କିଲିଂ ଫ୍ରେମ୍‌ୱାର୍କ ଭିତରେ ସମନ୍ୱୟ ରଖିବା, ଭାରତର ସ୍କିଲ୍‌ ଇଣ୍ଡିଆ ମିଶନ ଅଧୀନରେ ଦକ୍ଷତା ବିକାଶ ପାଇଁ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ସହ ଲାଭ ଉଠାଇବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଏକ ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ପାଇଁ ଆମକୁ ଶିକ୍ଷା ଓ ଦକ୍ଷତାକୁ ଏକାଠି କରିବାକୁ ପଡ଼ିବ। ସାମ୍ପ୍ରତିକ ସମୟରେ କାର୍ଯ୍ୟକ୍ଷେତ୍ରରେ ପରିବର୍ତନ ଆସିଛି। ଏନର୍ଜି, ସଷ୍ଟେନେବିଲଟି, ଡାଟା ମ୍ୟାନେଜ୍‌ମେଣ୍ଟ ଉପରେ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବାକୁ ପଡ଼ିବ। ଏକ ପ୍ରଗତିଶୀଳ ଏବଂ ଆଧୁନିକ ଜାତୀୟ ପାଠ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ଯେ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଏଣିକି ପ୍ରତି ମାସରେ ଆପ୍ରେଂଟିସ୍‌ସିପ୍‌ ମେଳା ଆୟୋଜନ କରିବ ଏବଂ ଏହାକୁ ପ୍ରୋତ୍ସାହନ ଦେବା ପାଇଁ ଦେଶରେ ୨୫୦ରୁ ଊର୍ଦ୍ଧ୍ୱ କ୍ଲଷ୍ଟର ଭିତ୍ତିକ ୱାର୍କସପ୍‌ର ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କର୍ମଶାଳାରେ କେନ୍ଦ୍ର ଦକ୍ଷତା ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ୧୦୦ରୁ ଅଧିକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସ୍‌ଇ)ର ପ୍ରତିନିଧି ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର