କେବଳ ପ୍ରତ୍ୟକ୍ଷ ଶାରୀରିକ ସ୍ପର୍ଶକୁ ‘ପୋକ୍‌ସୋ’ ଆଇନର ଯୌନ ଉତ୍ପୀଡ଼ନ ବୋଲି ଭାବିବା ଅନୁଚିତ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଳୀ: କେବଳ ପ୍ରତ୍ୟକ୍ଷ ଶାରୀରିକ ସ୍ପର୍ଶକୁ ‘ପୋକ୍‌ସୋ’ ଆଇନର ଯୌନ ଉତ୍ପୀଡ଼ନ ଭାବେ ବିବେଚନା କରାଯିବା ଉଚିତ ବୋଲି ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଆଜି ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

Image Courtesy of The New Indian Express

ବିଚାରପତି ୟୁ.ୟୁ. ଲଳିତ, ଏସ୍‌. ରବୀନ୍ଦ୍ର ଭଟ ଏବଂ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଲେ, ସିଧାସଳଖ ଶାରୀରିକ ସ୍ପର୍ଶ ବା ଦେହରେ ଦେହ ବାଜିବା ହିଁ ପ୍ରକୃତ ‘ସ୍ପର୍ଶ’ ବୋଲି ବିବେଚନା କଲେ ତାହାର ଅର୍ଥ କେବଳ ‘ସଙ୍କୀର୍ଣ୍ଣ ତଥା ମନ୍ଦ ଅର୍ଥ’କୁ ବୁଝାଉ ଥିବାରୁ ତାହା ଯୌନ ଉତ୍ପୀଡ଼ନରୁ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଣୀତ ‘ପୋକ୍‌ସୋ’ ଆଇନର ଉଦ୍ଦେଶ୍ୟକୁ ନଷ୍ଟ କରିଦେବ।

Image Courtesy of The Times of India

ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଲେ, ବସ୍ତ୍ର ଆବୃତ ଥାଇ ମଧ୍ୟ ଦୈହିକ ସମ୍ପର୍କ ଉଦ୍ଦେଶ୍ୟ‌ ରଖି କରାଯାଉଥିବା ସ୍ପର୍ଶର ସଂଜ୍ଞା ‘ପୋକ୍‌ସୋ’ରେ ବର୍ଣ୍ଣନା କରାଯାଇଛି। ଅର୍ଥକୁ କଦର୍ଥ କରି ଅଦାଲତ ମାତ୍ରାଧିକ ଈର୍ଷାନ୍ବିତ ହେବା ଅନୁଚିତ। ଆଇନ ବ୍ୟବସ୍ଥାକୁ ପ୍ରତିହତ କରୁଥିବା ସଙ୍କୀର୍ଣ୍ଣ ଆକ୍ଷରିକ ଅନୁବାଦ ବା ଅର୍ଥକୁ ଗ୍ରହଣୀୟ ନୁହେଁ।

ଆଟର୍ଣ୍ଣି ଜେନେରାଲ୍‌ କେ.କେ. ବେଣୁଗୋପାଳ, ‘ନ୍ୟାସ୍‌ନାଲ୍‌ କମିସନ୍‌ ଫର୍‌ ୱିମିନ୍‌’ ଏବଂ ମହାରଷ୍ଟ୍ର ରାଜ୍ୟ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ୍‌  ଜାନୁଆରି ୧୨ ତାରିଖ ଦିନ ଦେଇଥିବା ରାୟ ବିରୋଧରେ କରିଥିବା ଅଭିଯୋଗର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଏକଥା କହିଛନ୍ତି।

‘ପୋକ୍‌ସୋ ଆଇନ’ ଅନୁଯାୟୀ, ବସ୍ତ୍ରାବୃତ ନାବାଳିକାଙ୍କ ବକ୍ଷୋଜ ସ୍ପର୍ଶକୁ ଯୌନ ଉତ୍ପୀଡ଼ନ କୁହାଯାଇ ପାରିବ ନାହିଁ ବୋଲି କହି ଉକ୍ତ ଅଦାଲତ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଥିଲେ। ଜାନୁଆରି ୨୭ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ଉକ୍ତ ରାୟ ଉପରେ ରହିତାଦେଶ ଜାରି କରିଥିଲେ।

ସମ୍ବନ୍ଧିତ ଖବର