ନୂଆଦିଲ୍ଲୀ : ଦିଲ୍ଲୀର ସିଙ୍ଗୁ ସୀମାସ୍ଥିତ କୃଷକ ଆନ୍ଦୋଳନ ଶିବିରରେ ନିହଙ୍ଗ ଶିଖମାନଙ୍କ ଦ୍ବାରା ଜଣେ ବ୍ୟକ୍ତିର ହାତ କାଟି ହତ୍ୟା ଘଟଣାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ) ପକ୍ଷରୁ ନିନ୍ଦା କରାଯାଇଛି । ପୁଲିସ ପକ୍ଷରୁ କରାଯାଉଥିବା ତଦନ୍ତରେ ସବୁ ପ୍ରକାରର ସହଯୋଗ କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।
ମୋର୍ଚ୍ଚା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ମୃତ ବ୍ୟକ୍ତି ଏକ ଧର୍ମଗ୍ରନ୍ଥକୁ ଅପମାନ କରିବାକୁ ଉଦ୍ୟମ କରିବାରୁ ନିହଙ୍ଗମାନେ ତାର ହାତ କାଟିଦେଇଥିଲେ । ପରେ ଉକ୍ତ ବ୍ୟକ୍ତି ମୃତ୍ୟୁବରଣ କରିଥିଲା । ଏହାକୁ ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଉଛି । ଏହି ମାମଲାରେ ପୁଲିସ ପକ୍ଷରୁ କରାଯାଉଥିବା ତଦନ୍ତରେ ସବୁ ପ୍ରକାରର ସହଯୋଗ କରାଯିବ । ଉଭୟ ମୃତ ବ୍ୟକ୍ତି ଓ ନିହଙ୍ଗମାନଙ୍କ ସହ ମୋର୍ଚ୍ଚାର କୌଣସି ସଂପର୍କ ନାହିଁ ବୋଲି ମୋର୍ଚ୍ଚା ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । କୌଣସି ଧର୍ମଗ୍ରନ୍ଥର ଅପମାନକୁ ମୋର୍ଚ୍ଚା ସମର୍ଥନ କରେ ନାହିଁ, କିନ୍ତୁ ତାର ଅର୍ଥ ନୁହେଁ ଯେ ଏଥିପାଇଁ ଜଣେ ଆଇନକୁ ହାତକୁ ନେବ । ଏହି ମାମଲାର ନିରପେକ୍ଷ ତଦନ୍ତ କରାଯିବା ସହ ଦୋଷୀମାନଙଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି ।
ଏସକେଏମ ସଦସ୍ୟ ଶୁଖଦର୍ଶନ ନାଟ୍ କହିଛନ୍ତି ଯେ ନିହଙ୍ଗମାନଙ୍କ ସହ ତାଙ୍କ ସଂଗଠନର କୌଣସି ସମ୍ପର୍କ ନାହିଁ । କୃଷକମାନଙ୍କ ଶିବିରର କିଛି ଦୂରରେ ନିହଙ୍ଗମାନଙ୍କ ଶିବିର ରହିଛି ।