ସ୍କାଏମେଟ ଆକଳନ : ଅମ୍ପାନ ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳେ ପଶ୍ଚିମବଙ୍ଗ ନିକଟରେ ସ୍ଥଳଭାଗ ଛୁଇଁବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ ବା ଗଭୀର ଅବପାତ ଏବେ ଏକ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଆକଳନ କରିଛି । ଆସନ୍ତାକାଲି ସୁଦ୍ଧା ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରିବ ଓ ମେ ୧୯ ରାତି କିମ୍ବା ମେ ୨୦ ତାରିଖ ସକାଳ ସୁଦ୍ଧା ଏହା ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ସ୍କାଏମେଟ ଆକଳନ କରିଛି । ତେବେ ଏହି ବାତ୍ୟା ରିକର୍ଭ କରିବା ପରେ ହିଁ ଏହା ପ୍ରକୃତରେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ତାହା ଜଣାପଡ଼ିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏହାର ଅର୍ଥ ହେଉଛି ଅମ୍ପାନ ଓଡ଼ିଶା ଉପକୂଳଛୁଇଁବା ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ ।

ଏହାର ପ୍ରଭାବରେ ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଘଣ୍ଟାପ୍ରତି ୮୦ରୁ ୧୦୦ କିମି ବେଗରେ ପବନ ବୋହିବାର ଆଶଙ୍କା ରହିଛି । ଏହା ସହିତ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାର ମଧ୍ୟ ଆଶଙ୍କା ରହିଛି ।

ଅନ୍ୟ ପକ୍ଷରେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ସୂଚନା ଦେଇଛି କି ବଙ୍ଗୋପ ସାଗରରରେ ଗଭୀର ଅବପାତର ଭାବେ ଗତି କରୁଥିବ ‘ଅମ୍ଫାନ୍’ ସାମୁଦ୍ରିକ ବାତ୍ୟାର ରୂପ ନେଇଛି।  ବାତ୍ୟା ଆମ୍ଫାନ୍‌ ପାରାଦୀପଠାରୁ ୧୦୬୦ କିଲୋମିଟର ଦୂରରେ ଅଛି। ସମୁଦ୍ର ପଥରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଏହା ଗତି କରୁଛି। ୨୦ ତାରିଖ ଦିନ ବେଳା ବାତ୍ୟା ଆମ୍ଫାନ୍‌ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରାଯାଉଛି ।

ବାତ୍ୟା ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ଯିବ । ସମୁଦ୍ର ଭିତରେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଯିବା ବେଳେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରଭାବ ରହିବ । ୧୮ ତାରିଖରୁ ବର୍ଷା ଆରମ୍ଭ ହେବ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର