ସିମଲା: ହିମାଚଳପ୍ରଦେଶର ଜଣାଶୁଣା ପର୍ଯ୍ୟଟନ ସ୍ଥଳ ଡାଲ୍‌ହାଉସୀ ଠାରେ ଜଣେ ପଞ୍ଜାବୀ ଏନ୍‌ଆର୍‌ଆଇ ଦମ୍ପତି ଆକ୍ରମଣର ଶିକାର ହୋଇଛନ୍ତି। ତେବେ ଏହାକୁ ନେଇ ପଞ୍ଜାବ ଓ ହିମାଚଳପ୍ରଦେଶ ରାଜନୀତି ସରଗରମ ହୋଇଛି। ନିକଟରେ ପଞ୍ଜାବରେ ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ଜଣେ ମହିଳା ସିଆଇଏସ୍‌ଏଫ୍‌ ଯବାନଙ୍କ ଚାପୁଡ଼ା ମାଡ଼ ଘଟଣାର ଏହା ପ୍ରତିଶୋଧ ବୋଲି ଅକାଳୀଦଳ ଓ କଂଗ୍ରେସ ଅଭିଯୋଗ କରିଛି। ତେବେ ପୁଲିସ ସ୍ପଷ୍ଟୀକରଣ ଦେଇଛି ଯେ ଏହି ଘଟଣା ସହ କଙ୍ଗନାଙ୍କ ଚାପୁଡ଼ା ଘଟଣାର କୌଣସି ସମ୍ପର୍କ ନାହିଁ।
ମାମଲାର ବିବରଣୀରୁ ପ୍ରକାଶ, କୱଲ୍‌ଜିତ୍‌ ସିଂହ ଏବଂ ତାଙ୍କର ବିଦେଶୀ ପତ୍ନୀ ‌ଓ ପରିବାରର ଅନ୍ୟ ସଦସ୍ୟମାନେ ଦୁଇ ଦିନ ପୂର୍ବେ ଡାଲ୍‌ହାଉସୀ ବୁଲି ଯାଇଥିଲେ।

Advertisment

କୱଲ୍‌ଜିତ୍‌ଙ୍କ ଅଭିଯୋଗ ଅନୁସାରେ, ପାର୍କିଂକୁ ନେଇ ବିବାଦ ପରେ ଶତାଧିକ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୁଲିସକୁ ଜଣାଇବା ପରେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇନଥିଲା। ଏହି ଘଟଣାରେ ପଞ୍ଜାବର ଏନ୍‌ଆର୍‌ଆଇ ମନ୍ତ୍ରୀ କୁଲଦୀପ ସିଂହ ଧାଲିୱାଲ୍‌, ଅମୃତସର ସାଂସଦ ଗୁରଜିତ ସିଂହ ଅଉଜଲା, ଅକାଳୀ ଦଳ ନେତା ବିକ୍ରମ ସିଂହ ମାଜିଥିଆ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏହି ଘଟଣା କଙ୍ଗନାଙ୍କୁ ଚାପୁଡ଼ା ମାଡ଼ର ପ୍ରତିଶୋଧ। ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ହିମାଚଳପ୍ରଦେଶ ସରକାର ଦୃଢ଼ପଦକ୍ଷେପ ନେବା ଆବଶ୍ୟକ। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶର ଆଇଜି (ଉତ୍ତରାଞ୍ଚଳ) ସ‌ନ୍ତୋଷ ପାଟିଆଲ୍‌ କହିଛନ୍ତି ଯେ କୱଲଜିତ୍‌ ନିଜର ପରିବାରକୁ ନେଇ ଚମ୍ବା ଜିଲ୍ଲା ଖାଜରର ଜଣେ ହସ୍ତରେଖା ବିଷାରଦଙ୍କ ନିକଟକୁ ଯାଇଥିଲେ। ସେଠାରେ କୱଲଜିତଙ୍କ ପରିବାରର ଜଣେ ମହିଳାଙ୍କ ହାତ ଦେଖିବା ବେଳେ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଦୁଇ ଉଭୟ ପକ୍ଷ ମଧ୍ୟରେ ମାରପିଟ ହୋଇଥିଲା। ପରେ ଥାନାରେ ବିବାଦର ସମାଧାନ ହୋଇଯାଇଛି।