ନୂଆଦିଲ୍ଲୀ : ମହାମାରୀ କୋଭିଡ୍ ଦ୍ବାରା ସାମାନ୍ୟତମ ସଂକ୍ରମିତ ହୋଇଥିଲେ ବି ଜଣେ ପୀଡ଼ିତକୁ ମାସ ମାସ ଧରି ଅସୁସ୍ଥ ରହିବାକୁ ପଡୁଛି ବୋଲି ଫ୍ରାନ୍ସର ଗବେଷକମାନଙ୍କ ଦ୍ବାରା କରାଯାଇଥିବା ସଦ୍ୟ ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ସେହିପରି ସାମାନ୍ୟ ଅଥବା ମଧ୍ୟମ ଧରଣର ସଂକ୍ରମିତଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଅସୁସ୍ଥ ହେବାର ୬୦ ଦିନ ପରେ ହିଁ କୋଭିଡ୍ ଲକ୍ଷଣ ପ୍ରଦର୍ଶନ କରୁଛନ୍ତି। ଆଉ ସେତିକି ବେଳେ ଏକ ତୃତୀୟାଂଶରୁ ଅଧିକ ପୀଡ଼ିତ ସଂକ୍ରମଣ ଆରମ୍ଭ ହେବା ତୁଳନାରେ ଅଧିକ ଅସୁସ୍ଥ କିମ୍ବା ଗୁରୁତର ଅସୁସ୍ଥ ହୋଇପଡୁଥିବା ଜଣାଯାଇଛି। ତେବେ ଏ ପ୍ରକାର ଦୀର୍ଘକାଳୀନ ଲକ୍ଷଣ ମୁଖ୍ୟତଃ ୪୦ରୁ ୬୦ ବର୍ଷ ବୟସ୍କ ଏବଂ ଯେଉଁମାନେ ଡାକ୍ତରଖାନାରେ ଚିକିତ୍ସା ଲୋଡ଼ିଥାନ୍ତି, ସେମାନଙ୍କ ଠାରେ ଜଣାପଡ଼ିଥାଏ। ଗତ ମାର୍ଚ୍ଚରୁ ଜୁନ୍ ଭିତରେ ଟୁର୍ସ ବିଶ୍ବବିଦ୍ୟାଳୟ ଡାକ୍ତରଖାନାରେ ୧୫୦ ଜଣ ସାଧାରଣ କୋଭିଡ୍ ରୋଗୀଙ୍କ ଉପରେ ଅନୁଧ୍ୟାନ କରି ଏପରି ନିର୍ଯାସ ମିଳିପାରିଛି। ସୁତରାଂ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ଅଭିନବଭୂତାଣୁ ସାର୍ସ-କୋଭ୍-୨ ଦ୍ବାରା ସଂକ୍ରମିତ ସାଢ଼େ ୩ କୋଟିରୁ ଅଧିକ ପୀଡ଼ିତଙ୍କ ଭିତରୁ କିଛି ଭାଗ ସୁସ୍ଥ ହେଲା ପରେ ବି ଏପରି କିଛି ସପ୍ତାହ କି କିଛି ମାସ ଧରି ଦୀର୍ଘକାଳୀନ ଅସୁସ୍ଥତା ଭୋଗ କରିବେ ବୋଲି ଆଶଙ୍କା କରାଯାଉଛି। ତେଣୁ କୋଭିଡ୍ କରାଳର ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ ହେଁ କ୍ଷତ ଫୁସ୍ଫୁସ୍, କ୍ଷତ ହୃତ୍ପିଣ୍ଡ କି ଅନ୍ୟାନ୍ୟ ଅବିଗୁଣ ସହ କାଳାତିପାତ କରୁଥିବା ଏ ପ୍ରକାର ପୀଡ଼ିତମାନଙ୍କୁ ଚିକିତ୍ସା କରିବା ଲାଗି କୋଭିଡ୍ ପରବର୍ତ୍ତୀ ଚିକିତ୍ସାଳୟ ସବୁ ଖୋଲିବା ଜରୁରୀ ହୋଇପଡ଼ିଛି। ତେଣୁ ଏହି ମହାମାରୀ କୋଭିଡ୍ କେବେ ଶିଥିଳ ପଡ଼ିଗଲେ ବି ଏକ ଦୀର୍ଘକାଳୀନ ଚିକିତ୍ସାର ବୋଝ ଲୋକଙ୍କ ଉପରେ ଛାଡ଼ିଦେବ ବୋଲି ଗବେଷକ କ୍ଲୋଡିଆ କାର୍ଭାଲୋ-ସ୍ନିଡର କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp