ଚୀନୀ ଭାଷାରେ କୋଲକାତାରେ ଲେଖାଯାଇଛି ସ୍ଲୋଗାନ, କାହିଁକି ଜାଣନ୍ତୁ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଏବେ ଲାଗିପଡିଥିବାବେଳେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବାରେ ଭିନ୍ନ ଭିନ୍ନ ରଣନୀତି ଆପଣାଉଛନ୍ତି | ତେବେ କୋଲକାତାରେ ପ୍ରଚାର କରିବାର ତରିକାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି | କୋଲକାତା ମହାନଗର ନିଗମ ଅଧୀନରେ ଆସୁଥିବା କସବା ବିଧାନସଭା କ୍ଷେତ୍ରରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେବ | ଆଉ ଏଠାରେ ତୃଣମୂଳ କଂଗ୍ରେସ ଟିକଟରେ ଲଢ଼ୁଥିବା ଜାଭେଦ ଖାନ ଚୀନୀ ଭାଷାରେ ସ୍ଲୋଗାନ ଲେଖି ତୃଣମୂଳ କଂଗ୍ରେସକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି |

ତେବେ ଆପଣ ଭାବୁଥିବେ ଯେ କାହିଁକି ଚୀନୀ ଭାଷାରେ ସ୍ଲୋଗାନ ସବୁ ଲେଖାଯାଇଛି | ବାସ୍ତବରେ ଦକ୍ଷିଣ କୋଲକାତାର ଟେନଗରା ଅଞ୍ଚଳକୁ ଚାଇନା ଟାଉନ ମଧ୍ୟ କୁହାଯାଇଥାଏ | ପୂର୍ବରୁ ଏହି ଅଂଚଳରେ ପାଖାପାଖି ୨୦ ହଜାର ଜଣ ଚୀନ ମୂଳତଃ ଭାରତୀୟ ରହୁଥିଲେ | କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୨ହଜାରକୁ ଖସିଆସିଛି | କୋଲକାତାରେ ରହୁଥିବା ଏହି ଚୀନ ମୂଳତଃ ଭାରତୀୟମାନେ ଚମଡା ବ୍ୟବସାୟ ସହ ହୋଟେଲ ବ୍ୟବସାୟ କରିଥିବାବେଳେ କିଭଳି ସେମାନଙ୍କୁ ତାଙ୍କ ଭାଷାରେ ସହଜରେ ବୁଝାଇହେବ ସେଥିପାଇଁ ଚୀନୀ ଭାଷାରେ ସ୍ଲୋଗାନ ଲେଖାଯାଇଛି |

ଯଦିଓ ଏଠାକାର ଭୋଟରଙ୍କ ଭୋଟ ସେତେ ପ୍ରଭାବ ପକାଇନପାରେ ତଥାପି ତୃଣମୂଳ କଂଗ୍ରେସ ପକ୍ଷରୁ ଭୋଟରଙ୍କ ମନ ଜିତିବାକୁ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଛି | କୁହାଯାଇଥାଏ ଯେ କୋଲକାତା ସହ ଚୀନ ନାଗରିକଙ୍କର ସମ୍ପର୍କ ବହୁ ପୁରୁଣା | ୧୮ ଶତାବ୍ଦୀ ଶେଷ ବେଳକୁ ଚୀନରୁ ଶ୍ରମିକମାନେ ଭାରତକୁ ଆସି ଚମଡା କାମ କରୁଥିଲେ | ପରେ ହୋଟେଲ ସହ କପଡା ବ୍ୟବସାୟରେ ନିଜକୁ ସାମିଲ କରିଥିଲେ |

ସମ୍ବନ୍ଧିତ ଖବର