ଜୟପୁର: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ରାଜସ୍ଥାନରେ ପ୍ରବେଶ କରିଛି। ରବିବାର ଦିନ ରାଜସ୍ଥାନର ଦୌସା ଜିଲ୍ଲାର କାଲା ଖୋହ ଗ୍ରାମରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧୀଙ୍କ ସହ ଏହି ଯାତ୍ରା ସମୟରେ ବହୁ ସଂଖ୍ୟକ ଲୋକ ତାଙ୍କ ସହ ଯୋଡି ହୋଇଥିଲେ। ଏହି ସମୟରେ, ଏପରି ଏକ ଘଟଣା ମଧ୍ୟ ଘଟିଥିଲା, ଯାହା ରାଜନୈତିକ ଦୃଷ୍ଟିକୋଣରୁ ରାଜସ୍ଥାନର ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Advertisment

ରବିବାର ଦ୍ୱିତୀୟ ଥର ପାଇଁ ରାହୁଲ ଗାନ୍ଧୀଙ୍କ ଗସ୍ତ ସମୟରେ ଲୋକମାନେ ସଚିନ ପାଇଲଟଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ ଏବଂ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଥିଲେ। ହାତରେ ଦଳୀୟ ପତାକା ଧରି ଯାତ୍ରା କରୁଥିବା ଲୋକମାନେ 'ହମାରା ସିଏମ କୈସା ହୋ, ସଚିନ ପାଇଲଟ ଜୈସା ହୋ' ସ୍ଲୋଗାନ ଦେଇଥିବା ଦେଖାଯାଇଥିଲା।

ଏହାପୂର୍ବରୁ ଦୌସାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ସଚିନ ପାଇଲଟଙ୍କ ସମର୍ଥନରେ ସ୍ଲୋଗାନ ଦିଆଯାଇଥିଲା। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ରାଜସ୍ଥାନର ଦୌସା ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରବେଶ କରିବା ମାତ୍ରେ ଦୌସା ବିଧାନସଭା ନିର୍ବାଚନମଣ୍ଡଳୀବାସୀ ତାଙ୍କୁ ସ୍ବାଗତ କରିିଥିଲେ। ରାହୁଲ ଗାନ୍ଧୀ ଦୌସା ସହରରେ ପ୍ରବେଶ କରିବା ମାତ୍ରେ ସଚିନ ପାଇଲଟ ଜିନ୍ଦାବାଦ, ରାହୁଲ ଗାନ୍ଧୀ ଜିନ୍ଦବାଦ ସ୍ଲୋଗାନ ଦେଇଥିଲେ ଲୋକେ।

ତେବେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ପୂର୍ବରୁ ଅନେକ ଥର ବିବାଦ ହୋଇଥିବା ବେଳେ ସଚିନଙ୍କୁ ଏଭଳି ଲୋକଙ୍କ ସମର୍ଥନ ମିଳିବାଟା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭାରୀ ପଡ଼ିପାରେ ବୋଲି କୁହାଯାଉଛି।