ନୂଆଦିଲ୍ଲୀ: ଢେଙ୍କାନାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ତିନୋଟି ଜାତୀୟ ରାଜପଥ- ଏନ୍ଏଚ୍ ୧୪୯ ପାଲହଡାଠାରୁ କେନ୍ଦୁଝର, ଏନ୍ଏଚ୍ ୫୫- ମଙ୍ଗୁଳିଠାରୁ ସମ୍ବଲପୁର ଏବଂ ଏନ୍ଏଚ୍ ୫୩ ଟିକିରିଠାରୁ ଡୁବୁରିର ନିର୍ମାଣ କାର୍ଯ୍ୟରେ ହେଉଥିବା ଅହେତୁକ ବିଳମ୍ବକୁ ନେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ବିଜେଡି ସାଂସଦ ମହେଶ ସାହୁ। ଏଥି ସହିତ ସେ ତିନିଟି ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ଆଜି ଲୋକସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉପସ୍ଥାପନ କରି ମହେଶ ସାହୁ କହିଥିଲେ, ପ୍ରକଳ୍ପଗୁଡିକ ଅବହେଳିତ ଅବସ୍ଥାରେ ରହିଛି। କେନ୍ଦ୍ରର ବିକାଶ କାର୍ଯ୍ୟକ୍ରମରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ୧ ଲକ୍ଷ ହଜାର କୋଟି ଟଙ୍କା ବର୍ଷକୁ ଦେଉଥିବାବେଳେ ବିକାଶ ପରିବର୍ତ୍ତେ ବିନାଶ ହେଉଛି।
ଏହି କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ଦୁର୍ଘଟଣାରେ ୩୨୬ ଜଣ ଲୋକଙ୍କର ମୃତ୍ୟୁ ଘଟିଲାଣି। ସେ ଆହୁରି କହିଥିଲେ, କେନ୍ଦ୍ର ସରକାର ଟିକିରିଠାରୁ ଡୁବୁରି ରାସ୍ତାକୁ ଲୋକାର୍ପଣ କରିଥିଲେ। କିନ୍ତୁ ବ୍ରାହ୍ମଣୀ, ରାମିଆଳ ଏବଂ ଦମଶାଳାଠାରେ ପୋଲ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରି ନାହିଁ କି ଟିକିରିଠାରେ ଓଭରବ୍ରିଜ-ଅଣ୍ଡରପାସ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଅଥଚ କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ରାସ୍ତାକୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣ କରାଗଲା। ଏହା ପରେ ମଧ୍ୟ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ବୋଲି କହି ମହେଶ ସାହୁ ଉଦ୍ବେଗ ପ୍ରକାଶ କରିଥିଲେ। ଉକ୍ତ ତିନୋଟି ରାଜପଥର କାର୍ଯ୍ୟ ଅଗ୍ରଗତିକୁ ନେଇ ବାରମ୍ବାର ରୋଡ୍ ସେଫ୍ଟି ମିଟିଙ୍ଗରେ ଆଲୋଚନା କରାଯାଇଥିଲା। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ମାର୍ଚ୍ଚ ୨୦୨୪ ସୁଦ୍ଧା କାର୍ଯ୍ୟ ଶେଷ ହେବ ବୋଲି ଘୋଷଣା କରିଥିଲେ। କିନ୍ତୁ କାର୍ଯ୍ୟର ଅଗ୍ରଗତିକୁ ଦେଖିଲେ ଏହି ସମୟ ସୁଦ୍ଧା ଶେଷ ହେବାର ଆଦୌ ସମ୍ଭାବନା ନାହିଁ। କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି ସେ କହିଥିଲେ, ତିନୋଟି ଜାତୀୟ ରାଜପଥର କାର୍ଯ୍ୟ କେନ୍ଦ୍ର ସରକାରଙ୍କ ବିକାଶର ଜ୍ବଳନ୍ତ ପ୍ରମାଣ। କେନ୍ଦ୍ର ସରକାର ଯେଉଁ ହିସାବରେ ଢେଙ୍କାନାଳ କ୍ଷେତ୍ରରୁ ରାଜସ୍ବ ପାଉଛନ୍ତି ତାହାର ସାମାନ୍ୟତମ ଅନୁଦାନରୁ ଏହି କ୍ଷେତ୍ରର ଉନ୍ନତି ହୋଇପାରନ୍ତା କିନ୍ତୁ କେନ୍ଦ୍ର ସରକାର ଏ ବାବଦରେ ନଜର ଦେଉନାହାନ୍ତି ବୋଲି ମହେଶ ସାହୁ କହିଥିଲେ। ସାହୁଙ୍କ ଶୂନ୍ୟକାଳ ଉପସ୍ଥାପନ ବେଳେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୃହରେ ଉପସ୍ଥିତ ଥିଲେ।