ଶ୍ରୀନଗର: ଜମ୍ମୁ- କଶ୍ମୀର ଉପତ୍ୟକାରେ ସୁରକ୍ଷା ବିଶେଷ କରି ସେଣ୍ଟ୍ରି ଦାୟିତ୍ୱରେ ମୁତୟନ ଥିବା ପୁଲିସ୍ କର୍ମଚାରୀମାନଙ୍କର ଡ୍ୟୁଟି ସମୟରେ ମୋବାଇଲ୍ ଫୋନ୍ର ବ୍ୟାପକ ବ୍ୟବହାର ଏବେ ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଣିକି ଡ୍ୟୁଟି ସମୟରେ ଉପତ୍ୟକାରେ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା କୌଣସି ବି ପୁଲିସ୍ କର୍ମୀ ନିଜ ମୋବାଇଲ ଫୋନ୍ ବ୍ୟବହାର କରି ପାରିବେ ନାହିଁ ବୋଲି ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନ ପକ୍ଷରୁ ଆଜି ଏକ ନିଷେଧାଦେଶ ଜାରି କରା ଯାଇଛି।
/sambad/media/post_attachments/wp-content/uploads/2018/05/kashmir1.jpg)
ଜମ୍ମୁ- କଶ୍ମୀରର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ (ଏଡିଜି) ଏକେ ଚୌଧୁରୀଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ନିଷେଧାଦେଶରେ କୁହାଯାଇଛି ଯେ ଡ୍ୟୁଟି ସମୟରେ ସୁରକ୍ଷା କର୍ମୀମାନେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ଧ୍ୟାନ ଦେବା ଓ ଯତ୍ନବାନ ହେବା ବଦଳରେ ନିଜ ପାଖରେ ରଖିଥିବା ଅତ୍ୟାଧୁନିକ ମୋବାଇଲରେ ଖେଳିବା, ଭିଡିଓ ଦେଖିବା, ଇଣ୍ଟରନେଟ୍ ଦେଖିବା ଆଦିରେ ଅଧିକ ସକ୍ରିୟ ରହୁଛନ୍ତି। ଫଳରେ ଡ୍ୟୁଟି ସମୟରେ ସେମାନେ ଅମନଯୋଗୀ ଓ ଅନ୍ୟମନସ୍କ ହେବା ସହ ସେମାନଙ୍କର ଧ୍ୟାନ ଡ୍ୟୁଟି ଉପରେ ରହୁନାହିଁ। ଏହାର ସୁଯୋଗ ନେଇ ଅସାମାଜିକ ତତ୍ତ୍ୱମାନେ ସେମାନଙ୍କ ଠାରୁ ସେମାନଙ୍କ ଅସ୍ତ୍ରକୁ ସୁଦ୍ଧା ଛଡ଼ାଇ ନେବାରେ ବା ଚୋରାଇ ନେବାରେ ସମର୍ଥ ହେଉଛନ୍ତି। ଏହିପରି ସଂଖ୍ୟାଧିକ ଘଟଣା ଏବେ ନଜରକୁ ଆସିବା ପରେ ଏସବୁ ଘଟଣା ଜନସାଧାରଣରେ ପୁଲିସ୍ର ଭାବମୂର୍ତ୍ତିକୁ ଖାଲି କ୍ଷୁଣ୍ଣ କରିନାହିଁ ବରଂ ସଂପୃକ୍ତ ସୁରକ୍ଷା କର୍ମୀଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ, ଏହି ପରିପ୍ରେକ୍ଷୀରେ ଉପତ୍ୟକାରେ ସୁରକ୍ଷା ଦାୟିତ୍ତ୍ୱରେ ମୁତୟନ ଥିବା ପୁଲିସ୍ ସୁରକ୍ଷା କର୍ମୀ ବିଶେଷ କରି ସେଣ୍ଟ୍ରୀ (ଦ୍ୱାରପାଳ) ଦାୟିତ୍ୱ ନିର୍ବାହ କରୁଥିବା କୌଣସି ବି ପୁଲିସ୍ କର୍ମଚାରୀ ଡ୍ୟୁଟି ସମୟରେ ମୋବାଇଲ ଫୋନ୍ର ବ୍ୟବହାର ତ ଦୂରର କଥା ନିଜ ପାଖରେ ସୁଦ୍ଧା ରଖିପାରିବେ ନାହିଁ ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶସନ ପକ୍ଷରୁ ଜାରି ନିଷେଧାଦେଶରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/kashmir-2.jpg)