ଲକ୍ଷ୍ମୀଙ୍କ ମୁହଁରେ ପୁଣି ହସ ଫୁଟିଲା

ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କୁ ସହାୟତାର ସୁଅ

ନୂଆଦିଲ୍ଲୀ: ଦିଲ୍ଲୀର ଏସିଡ୍‌ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ଵାଲ୍‌ ଏବେ ଏକା ନୁହନ୍ତି। ତାଙ୍କ ଦୁଃଖ ବୁଝିବାକୁ ଏବଂ ତାଙ୍କୁ ସହାନୁଭୂତି ଜଣାଇ ତାଙ୍କ ସହ ଛିଡ଼ା ହେବାକୁ ଅନେକ ପରୋପକାରୀ ଲୋକ ଆଗେଇ ଆସିଛନ୍ତି। ବର୍ଷେ ହେଲା ନିଜ ବିକୃତ ମୁହଁ ଯୋଗୁ ବେକାର ହୋଇ ଘରେ ବସିଥିବା ଲକ୍ଷ୍ମୀଙ୍କ ପାଇଁ ଏବେ ଚାରିଆଡୁ ଚାକିରି ସୁଯୋଗର ସୁଅ ଛୁଟିଛି। ୨୪ ଘଣ୍ଟା ମଧ୍ୟରେ ତାଙ୍କ ନିକଟକୁ ୧୫ରୁ ଅଧିକ ଅଫର ଆସିଛି। ଖାଲି ସେତିକି ନୁହେଁ, ବିଭିନ୍ନ ଦିଗରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ମଧ୍ୟ ଲୋକେ ତତ୍ପରତା ପ୍ରକାଶ କରିଛନ୍ତି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଲକ୍ଷ୍ମୀଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ଛାଡ଼ିଛନ୍ତି। ତେଣୁ କିଛିଦିନ ତଳେ ନିଜକୁ ନିଃସ୍ୱ, ଅସହାୟ ଏବଂ ଏକାକୀ ଅନୁଭବ କରି ଭାଗ୍ୟକୁ ଦୋଷ ଦେଉଥିବା ଲକ୍ଷ୍ମୀଙ୍କ ମୁହଁରେ ପୁଣି ହସ ଫୁଟିଛି।

୨୪ ଘଣ୍ଟାରେ ୧୫ ନିଯୁକ୍ତି ଅଫର
ଆର୍ଥିକ ସହାୟତା ଦେବାକୁ ଲୋକେ ତତ୍ପର
ଅକ୍ଷୟ କୁମାର ଦେଲେ ୫ ଲକ୍ଷ

୨୦୦୫ରେ ଏସିଡ୍‌ ଆକ୍ରମଣ ଯୋଗୁ ୩୦ ବର୍ଷୀୟା ଲକ୍ଷ୍ମୀଙ୍କ ମୁହଁ ବିକୃତ ହୋଇଯାଇଥିଲା। ଅନେକ ଥର ଅସ୍ତ୍ରୋପଚାର କରାଇବା ପରେ ମଧ୍ୟ ତାଙ୍କ ମୁହଁରେ ସେତେଟା ପରିବର୍ତ୍ତନ ଆସିନଥିଲା। ଫଳରେ ଚାକିରି ଦେବାକୁ କେହି ରାଜି ହୋଇନଥିଲେ। ବିୟୁଟି ପାର୍ଲର କାମରେ ବେଶ୍‌ ଦକ୍ଷତା ହାସଲ କରିଥିଲେ ହେଁ ତାଙ୍କ ବିକୃତ ମୁହଁ ଯୋଗୁ ତାଙ୍କୁ କେହି ବି କାମ ଦେବାକୁ ରାଜି ହୋଇନଥିଲେ। ଏସିଡ୍‌ ଆକ୍ରମଣ ବେଳେ ଯେଉଁ ପୁରସ୍କାର ଓ ଆର୍ଥିକ ସହାୟତା ପାଇଥିଲେ ତାହା ଶେଷ ହୋଇଯାଇଥିଲା। ଏମିତି କି ୩ ବର୍ଷ ତଳେ ସାଥୀ ଆଲୋକ ଦୀକ୍ଷିତ୍‌ ଅଧା ରାସ୍ତାରେ ହାତ ଛାଡ଼ିଦେଇଥିଲେ। ଫଳରେ ଏକା ପଡ଼ିଯାଇଥିଲେ ଲକ୍ଷ୍ମୀ। ଘରଭଡ଼ା ଦେବା ଏବଂ ନିଜ ୩ ବର୍ଷୀୟା ଝିଅର ପ୍ରତିପୋଷଣ କରିବାକୁ ଅସମର୍ଥ ହୋଇଥିଲେ। କିନ୍ତୁ ଗଣମାଧ୍ୟମରେ ତାଙ୍କ ସଂପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କ ଜୀବନର ମୋଡ଼ ପୁଣି ବଦଳି ଯାଇଛି। ଚାରିଆଡୁ ସହାୟତାର ସୁଅ ଛୁଟିଛି। ଚାକିରି ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତାଙ୍କୁ ଲୋକେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଫେସ୍‌ବୁକ୍‌ ଜରିଆରେ ଅନେକ ଲୋକ ୧୫,୦୦୦ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେଉଛନ୍ତି। ଅନେକ ଲୋକ ଲକ୍ଷ୍ମୀଙ୍କୁ ଫୋନ୍‌ କରି ତାଙ୍କ ଆକାଉଣ୍ଟ ନମ୍ବର ମାଗିଛନ୍ତି। ଗଣମାଧ୍ୟମରେ ତାଙ୍କ ସଂପର୍କରେ ରିପୋର୍ଟ ପ୍ରକାଶ ପାଇବା କ୍ଷଣି ତାଙ୍କ ମୋବାଇଲ୍‌ ଫୋନ୍‌ ଆଉ ଚୁପ୍‌ ରହିନାହିଁ। ଇତିମଧ୍ୟରେ ତାଙ୍କ ନିକଟକୁ ୨୦୦ରୁ ଅଧିକ ଫୋନ୍‌ କଲ୍‌ ଆସିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଲକ୍ଷ୍ମୀ କୁହନ୍ତି, ଦୁନିଆରେ ଏତେ ପରୋପକାରୀ ଲୋକ ଥିବା ବିଶ୍ୱାସ କରିପାରୁ ନାହିଁ। କିଛି ଦିନ ତଳେ ଚାକିରି ନପାଇ ଭାଙ୍ଗିପଡ଼ିଥିଲି। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ମୋ ନିକଟକୁ ୧୫ରୁ ଅଧିକ ନିଯୁକ୍ତି ଅଫର ଆସିଛି। ଏକାଧିକ ସେଲୁନ୍‌ ଚଳାଉଥିବା ଜଣେ ବ୍ୟବସାୟୀ ତାଙ୍କର ଏକ ସେଲୁନ୍‌ର ମୁଖ୍ୟ ଭାବେ ମୋତେ ନିଯୁକ୍ତି ଦେବେ ବୋଲି କହିଛନ୍ତି। ଜଣେ ଅଳଙ୍କାର ଡିଜାଇନର୍‌ ମୋ ଝିଅର ସମସ୍ତ ପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର