ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ାଙ୍କର ଶନିବାର ୱାକାୟମା ନଗରୀରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାର ଥିଲା। ଆଜି ସେ ଭାଷଣ ଦେବା ପୂର୍ବରୁ ତାଙ୍କ ଉପରକୁ କେହି ଧୂଆଁ ବା ପାଇପ୍ ବୋମା ଫିଙ୍ଗିଥିଲା। ପ୍ରଚଣ୍ଡ ବିସ୍ଫୋରଣ ସହ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ତେବେ କିସିଡ଼ାଙ୍କୁ ମଞ୍ଚ ଉପରୁ ନିରାପଦରେ ସ୍ଥାନାନ୍ତରିତ କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।
ଘଟଣା ସମୟର ଭିଡ଼ିଓ ଫୁଟେଜ ଜାପାନୀ ମିଡ଼ିଆ ଦ୍ବାରା ପ୍ରଦର୍ଶନ କରାଯାଇଛି। ଏଥିରେ ଦେଖିବାକୁ ମିଳୁଛି, କିସିଡ଼ାଙ୍କ ଉପରରୁ କେହି ଜଣେ ପାଇପ୍ ପରି ଦେଖାଯାଇଥିବା ଏକ ପଦାର୍ଥ ଫିଙ୍ଗିଥିଲା। ଏହା ଫୁଟିବା ସମୟରେ ପ୍ରଚଣ୍ଡ ବିସ୍ଫୋରଣ ସହ ପ୍ରବଳ ଧୂଆଁ ହୋଇଥିଲା। ସେଠାରେ ଥିବା ଲୋକମାନେ କିଏ କୁଆଡ଼େ ଛିନ୍ନଛତ୍ର ହୋଇ ପଳାଇଥିଲେ। ତେବେ ନିରାପଦରେ କିସିଡ଼ାଙ୍କୁ ତାଙ୍କ ସୁରକ୍ଷା କର୍ମୀମାନେ ଅନ୍ୟତ୍ର ନେଇଯାଇଥିଲେ। କିସିଡ଼ା ଶାସକ ଦଳର ପ୍ରାର୍ଥୀଙ୍କ ସହ କଥା ହେବା ବେଳେ ଏହି ବୋମାମାଡ଼ ହୋଇଥିଲା। ଏକ ଲୋକସଭା ଆସନ ପାଇଁ ଉପନିର୍ବାଚନ ଉପଲକ୍ଷେ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ କିସିଡ଼ା ସେଠାକୁ ଯାଇଥିଲେ। ତେବେ ଉକ୍ତ ଆକ୍ରମଣ ପରେ ତାଙ୍କ ଭାଷଣ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଥିଲା।
ଆକ୍ରମଣକୁ କଡ଼ା ନିନ୍ଦା କଲେ ମୋଦୀ, କିଶିଡ଼ା ସୁରକ୍ଷିତ ଥିବାରୁ ଆଶ୍ବସ୍ତ ପ୍ରକାଶ କଲେ
ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ାଙ୍କ କାର୍ଯ୍ୟକ୍ରମରେ ଆଜି ବିସ୍ଫୋରଣ ହେବା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ ଟ୍ବିଟ୍ କରି କହିଛନ୍ତି, ଜାପାନର ୱାକୟାମାରେ ଏକ କାର୍ଯ୍ୟକ୍ରମରେ ହିଂସାତ୍ମକ ଘଟଣା ଘଟିଛି। ସେଠାରେ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ କିଶିଡ଼ା ଉପସ୍ଥିତ ଥିଲେ। କିନ୍ତୁ ସେ ସୁସ୍ଥ ଥିବାରୁ ମୁଁ ଆଶ୍ବସ୍ତ। ତାଙ୍କର ଶୁଭ କାମନା କରିବା ସହ ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରୁଛି। ଭାରତ ସମସ୍ତ ପ୍ରକାର ହିଂସାକୁ କଡ଼ା ନିନ୍ଦା କରୁଛି।