ଲକ୍ଷ୍ନୌ: ଅହମଦାବାଦ୍ ଦୁର୍ଘଟଣା ଏବେ ବି ସଭିଙ୍କ ମନରେ ସତେଜ ହୋଇ ରହିଥିବା ବେଳେ ଆଉ ଏକ ବିରାଟ ଦୁର୍ଘଟଣା ହେଉ ହେଉ ରହିଗଲା। ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ବିମାନ। ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ ବେଳେ ବିମାନ ଚକାରୁ ଧୂଆଁ ବାହାରିଥିଲା। ଏହା ସହ ନିଆଁ ଝୁଲ ମଧ୍ୟ ବାହାରିଥିବା ଦେଖିବାକୁ ମିଳିଥିଲା। ସାଉଦି ଏୟାରଲାଇନ୍ସର ବିମାନ ଏସ୍-ଭି-୩୧୧୨ ୨୫୦ ଜଣ ହଜ୍ ଯାତ୍ରୀଙ୍କୁ ନେଇ ଆସିଥିଲା। ବିମାନ ଏୟାରପୋର୍ଟରେ ଅବତରଣ ବେଳେ ହଠାତ୍ ନିଆଁ ଝୁଲ ଓ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା ।
କୌଣସି ଯାନ୍ତ୍ରିକ ତ୍ରୁଟି ଅଘଟଣ ଘଟିଥିବା ଜଣାପଡ଼ିଛି। ପାଇଲଟ୍ ଓ ବିମାନ ବନ୍ଦର ଅଧିକାରୀଙ୍କ ସତର୍କତାମୂଳକ ପଦକ୍ଷେପ ଯୋଗୁ ତୁରନ୍ତ ବିମାନରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣା ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।
ଉଲ୍ଲେଖଯୋଗ୍ୟ, ଜୁନ୍ ୧୨ ଗୁରୁବାର ଅପରାହ୍ନରେ ଅହମଦାବାଦର ମେଘାନି ନଗର ଅଞ୍ଚଳରେ କେହିକିଛି ବୁଝିବା ପୂର୍ବରୁ ହଠାତ୍ ଏୟାର ଇଣ୍ଡିଆର ବିମାନ ଏଆଇ ୧୭୧ ବିସ୍ଫୋରଣ ହୋଇଥିଲା।
ଏହି ଦୁର୍ଘଟଣାରେ ବିମାନରେ ୨୩୦ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟଙ୍କ ଥିଲେ। ଅର୍ଥାତ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ପରିସ୍ଥିତି ଏତେ ଭୟାବହ ରହିଛି କି ଘଟଣାସ୍ଥଳରୁ ମୃତକଙ୍କ ଶବ ଉଦ୍ଧାର କରାଯାଇ ପାରୁ ନାହିଁ କି ଚିହ୍ନଟ କରାଯାଉନାହିଁ।ତଥାପି ଯାଞ୍ଚ ଅଧିକାରୀ ଓ ଉଦ୍ଧାରକାରୀ ଦଳର କର୍ମଚାରୀମାନେ ଯଥାସମ୍ଭବ ଚେଷ୍ଟା ଜାରି ରଖିଛନ୍ତି।