ନୂଆଦିଲ୍ଲୀ : ଉତ୍ତରପ୍ରଦେଶର କଂଗ୍ରେସ ନେତା ଅଜୟ ରାୟ ସୋମବାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ଏକ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ସ୍ମୃତି ଇରାନୀ କେବଳ ‘ଲଟକା-ଝଟକା’ (ନାଚ) ଦେଖାଇବାକୁ ତାଙ୍କ ନିର୍ବାଚନମଣ୍ଡଳୀକୁ ଆସନ୍ତି। ଇରାନୀ ଏହାର ଉତ୍ତରରେ ରାହୁଲ ଗାନ୍ଧିଙ୍କୁ ଆହ୍ବାନ ଦେଇ କହିଛନ୍ତି ୨୦୨୪ରେ ସେ କେବଳ ଆମେଥିରୁ ନିର୍ବାଚନ ଲଢ଼ି ଜିତି ଦେଖାନ୍ତୁ। ସେ ମଧ୍ୟ ରାହୁଲ ଓ ସୋନିଆ ଗାନ୍ଧିଙ୍କୁ ପରାମର୍ଶ ଦେଇଛନ୍ତି ତାଙ୍କର ନାରୀ-ଦ୍ବେଷୀ ଗୁଣ୍ଡାଙ୍କୁ ନୂଆ ଭାଷଣ-ଲେଖକ ଦିଅନ୍ତୁ। ସ୍ମୃତି ଇରାନୀ ଏଠାରେ କଂଗ୍ରେସ ନେତା ଅଜୟ ରାୟଙ୍କୁ ‘ନାରୀ-ବିରୋଧୀ ଗୁଣ୍ଡା’ ବୋଲି ଅଭିହିତ କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳର ଆଞ୍ଚଳିକ ମୁଖ୍ୟ ରାୟ କହିଥିଲେ- ‘‘ଆମେଥିର ଅଧିକାଂଶ କାରଖାନା ଏବେ ବନ୍ଦ ହେବା ଉପରେ। ଜଗଦୀଶପୁର ଶିଳ୍ପାଞ୍ଚଳରେ ଅଧାଅଧି କାରଖାନା ବନ୍ଦ ହୋଇପଡ଼ିଛି। ସ୍ମୃତି ଇରାନୀ କେବଳ ଆସନ୍ତି, ଲୋକଙ୍କୁ ‘ଲଟକା-ଝଟକା’ (ନାଚ) ଦେଖାନ୍ତି ଓ ଚାଲିଯାଆନ୍ତି। ଆମେଥି ହେଉଛି ଗାନ୍ଧି ପରିବାରର ଗଡ଼। ଆମେ ଗାନ୍ଧିମାନଙ୍କୁ (ରାହୁଲ, ସୋନିଆ ବା ପ୍ରିୟଙ୍କା) କହିବୁ ସେମାନେ ୨୦୨୪ ଲୋକସଭା ନିର୍ବାଚନରେ ଏଠାରୁ ଲଢ଼ନ୍ତୁ ଓ ଜିତନ୍ତୁ।’’
ଏହାର ଉତ୍ତରରେ ସ୍ମୃତି ଇରାନୀ ଟ୍ବିଟ୍ କରିଛନ୍ତି- ‘‘ରାହୁଲ ଗାନ୍ଧିଜୀ! ଶୁଣିବାକୁ ମିଳୁଛି ଆପଣ ଆପଣଙ୍କର ଜଣେ ପ୍ରାନ୍ତୀୟ ନେତାଙ୍କ ଦ୍ବାରା ୨୦୨୪ରେ ଆମେଥିରୁ ନିର୍ବାଚନ ଲଢ଼ିବା ପାଇଁ ଅଭଦ୍ର ଭାବରେ ଘୋଷଣା କରାଇଛନ୍ତି। ତା’ହେଲେ କ’ଣ ବୁଝିବୁ ଆପଣ ଆମେଥିରୁ ଲଢ଼ିବା କଥା ପକ୍କା? କୌଣସି ଦ୍ବିତୀୟ ଆସନରୁ ଲଢ଼ିବା ପାଇଁ ପଳାଇବେ ନାହିଁ ତ? ଡରିଯିବେ ନାହିଁ ତ? ତେବେ ଆପଣ ଓ ସୋନିଆଜୀଙ୍କୁ ମୋର ପରାମର୍ଶ, ଆପଣଙ୍କର ନାରୀ-ବିଦ୍ବେଷୀ ଗୁଣ୍ଡାଙ୍କୁ କୌଣସି ନୂଆ ଭାଷଣ-ଲେଖକ ଦିଅନ୍ତୁ।’’
ବିଜେପି ମଧ୍ୟ ରାୟଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସକୁ ଆକ୍ରମଣ କରିଛି। ଉତ୍ତରପ୍ରଦେଶ ବିଜେପି ମୁଖପାତ୍ର ଆନନ୍ଦ ଦୁବେ କହିଛନ୍ତି- ଯେଉଁ ଦଳ ଦେଶକୁ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଦେଇଥିଲା, ସେହି ଦଳର ଜଣେ ନେତା ଜଣେ ମହିଳା ମନ୍ତ୍ରୀଙ୍କ ପ୍ରତି ଏପରି ଅଶାଳୀନ ମନ୍ତବ୍ୟ ଦେବା ଦୁଃଖଦାୟକ। ବିଜେପି ପକ୍ଷରୁ ପୁଣି କୁହାଯାଇଛି ଯେ ଆମେଥି ଆସନରୁ ସବୁବେଳେ ଗାନ୍ଧି ପରିବାରର ଜଣେ କେହି ଜିତିଆସୁଥିବା ବେଳେ ଏବଂ କଂଗ୍ରେସ କେନ୍ଦ୍ରରେ କ୍ଷମତାରେ ରହୁଥିବା ବେଳେ ଏହି ଅଞ୍ଚଳ ସବୁ ଦିଗରୁ ପଛୁଆ ହୋଇ ରହିଥିଲା। କେନ୍ଦ୍ରରେ ମୋଦୀ ଓ ଉତ୍ତରପ୍ରଦେଶରେ ଯୋଗୀ ସରକାର କ୍ଷମତାକୁ ଆସିବା ପରେ ଏଠାରେ ଉନ୍ନୟନମୂଳକ କାମ ଆରମ୍ଭ ହୋଇଛି। ଆମେଥିର ଜନସାଧାରଣ ୨୦୨୯ରେ ରାହୁଲ ଗାନ୍ଧିଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଦୁବେ କହିଛନ୍ତି।