ଲୋକଙ୍କ ହୃଦୟ ଏମିତି ଜିତେ ବିଜେପି! ସୁଷମା ସ୍ୱରାଜଙ୍କ ରାସ୍ତାରେ ସ୍ମୃତି ଇରାନୀ

କୋଲକାତା: ‘ଯେଉଁ ଦେଶ ଯାଇ ସେହି ଫଳ ଖାଇ’ କଥା ଆପଣ ଶୁଣିଥିବେ | ଯେଉଁ ସ୍ଥାନକୁ ଯାଇ ସେହି ସ୍ଥାନର ଭାଷା, ସଂସ୍କୃତିକୁ ଆପଣାଇବା ଦ୍ୱାରା ଜଣେ ସେହିଠାରେ ଲୋକପ୍ରିୟ ହୋଇପାରିଥାଏ | ଆଉ ବିଜେପିର ନେତା ଓ ନେତ୍ରୀ ଏକଥାକୁ ଠିକ ଭାବେ ବୁଝିସାରିଛନ୍ତି | କାରଣ ଆଜି ପଶ୍ଚିମବଙ୍ଗରେ ଏମିତି କିଛି ଘଟଣା ଘଟିଛି, ଯାହାକୁ ନେଇ ବଙ୍ଗଳାବାସୀ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ପଶ୍ଚିମବଙ୍ଗର ହାଓଡ଼ାରେ ଆଜି ବିଜେପି ପକ୍ଷରୁ ଆୟୋଜିତ ଏକ ଜନସଭାରେ ଏଭଳି କିଛି ଭାଷଣ ଶୁଣିବାକୁ ମିଳିଛି ଯାହାକୁ ନେଇ ସଭାକୁ ଆସିଥିବା ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | କାରଣ ମଞ୍ଚକୁ ଯେତେବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆସିଥିଲେ, ସେତେବେଳେ ଲୋକ ଭାବିଥିଲେ ଯେ ସ୍ମୃତି ହିନ୍ଦୀରେ ଭାଷଣ ଦେବେ | କିନ୍ତୁ ସ୍ମୃତି ତାଙ୍କର ଭାଷଣ ବଙ୍ଗଳା ଭାଷାରେ ଆରମ୍ଭ କରି ନିର୍ଭୁଲ ଭାବେ କହିଥିଲେ |

ସ୍ମୃତି ଆଜିର ଭାଷଣରେ କହିଥିଲେ ଯେ, ‘ଆପଣ(ମମତା ଦିଦି) ଜୟ ଶ୍ରୀରାମ କହିବାକୁ ଘୃଣା କରୁଛନ୍ତି, କିନ୍ତୁ ଏଥର ରାଜ୍ୟରେ ରାମରାଜ୍ୟ ପ୍ରତିଷ୍ଠା ହେବ। ଦିଦିଙ୍କ ଟିଏମସି ଯାଉଛି ଏବଂ ବିଜେପି ଆସୁଛି ବୋଲି ସ୍ମୃତି କହିଥିଲେ |ସେ କହିଥିଲେ ଯେ, ‘ଯେଉଁ ଦଳ ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କୁ ଘୃଣା କରେ, ଯେଉଁ ଦଳ ନିଜ ନିଜ ଲୋକଙ୍କ ଭିତରେ ଶତ୍ରୁତା ସୃଷ୍ଟି କରାଏ, ଯେଉଁ ଦଳ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ମଧ୍ୟ ଅପମାନିତ କରେ, ସେହି ଦଳରେ କୌଣସି ରାଷ୍ଟ୍ର ଭକ୍ତ ରହିପାରିବେନି’ |


ସୂଚନା ଥାଉ କି ସ୍ମୃତି ପ୍ରଥମ ନେତ୍ରୀ ନଥିଲେ ତାଙ୍କ ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତଃ ସୁଷମା ସ୍ୱରାଜ ମଧ୍ୟ କିଛି ବର୍ଷ ତଳେ ସମସ୍ତଙ୍କୁ ତାଜୁବ କରିଦେଇଥିଲେ | ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ବର୍ଗତଃ ସୁଷମା ସ୍ୱରାଜଙ୍କ ଭାଷଣ ଶୁଣି ଦିନେ ଅଟଳ ବିହାରୀ ବାଜପେୟୀ ଓ ସୋନିଆ ଗାନ୍ଧୀ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | କଂଗ୍ରେସର ଦାୟିତ୍ୱ ଗ୍ରହଣ କରିବା ପରେ ସୋନିଆ ଗାନ୍ଧୀ କର୍ଣ୍ଣାଟକର ବେଲାରୀରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବେଲାରୀ ଆସନକୁ କଂଗ୍ରେସର ଗଡ଼ ଭାବରେ ବିବେଚନା କରାଯାଉଥିଲା। ସୋନିଆ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ପାଇଁ ଏହା ସବୁଠାରୁ ସୁରକ୍ଷିତ ଆସନ ଭାବେ ବିବେଚିତ ହୋଇଥିଲା। ୧୯୯୯ ଲୋକସଭା ନିର୍ବାଚନରେ ​​ସୋନିଆ ଗାନ୍ଧୀଙ୍କ ପ୍ରତିଦ୍ୱନ୍ଦ୍ୱିତା ପାଇଁ ବିଜେପି ବେଲାରୀରୁ ସୁଷମା ସ୍ୱରାଜଙ୍କୁ ଟିକେଟ ଦେଇଥିଲା |

ଆଉ ଭୋଟରଙ୍କ ହୃଦୟ ଜିତିବା ପାଇଁ ସୁଷମା ଏକ ମାସ ମଧ୍ୟରେ କନ୍ନଡ ଭାଷା ଶିଖିଥିଲେ। ଏହା ପରେ ନିର୍ବାଚନ ରାଲିରେ କନ୍ନଡରେ ଭାଷଣ ଦେବା ଆରମ୍ଭ କରିଥିଲେ। ବିଶେଷ କଥା ହେଉଛି ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସୁଷମାଙ୍କ ଭାଷଣ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କନ୍ନଡରେ ତାଙ୍କ ଭାଷଣ ଯୋଗୁଁ ସୁଷମା ତାଙ୍କ ନିର୍ବାଚନ ପ୍ରଚାର ସମୟରେ କେବଳ ବେଲାରୀ ନୁହେଁ କର୍ଣ୍ଣାଟକର ଲୋକଙ୍କ ହୃଦୟ ଜିତିଥିଲେ। ଯଦିଓ ସେ ୫୬ ହଜାର ଭୋଟରେ ହାରିଥିଲେ, ତଥାପି ସେ ବିଜେପିର ମୂଳଦୁଆ କର୍ଣ୍ଣାଟକରେ ପକାଇଦେଇଥିଲେ | କୁହାଯାଏ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭାଷା ଏବଂ ପୋଷାକ ବିଷୟରେ ବହୁତ ଗୁରୁତ୍ୱ ଦେଇଥାନ୍ତି | ଯେତେବେଳେ ବି ମୋଦୀ କୌଣସି ରାଜ୍ୟକୁ ଯାଇଥାନ୍ତି, ସେଠାକାର ଭାଷା କହିବା ସହ ସେହି ରାଜ୍ୟର ପାରମ୍ପରିକ ପୋଷାକ ମଧ୍ୟ ପରିଧାନ କରନ୍ତି | ଯାହାକୁ ଭୋଟର ପସନ୍ଦ କରିଥାନ୍ତି |

ସମ୍ବନ୍ଧିତ ଖବର