ମୋ ଝିଅ ପାଠ ପଢ଼ୁଛି, ବାର୍ ଚଳାଉନାହିଁ; କଂଗ୍ରେସର ଆରୋପକୁ ନେଇ ସ୍ମୃତି ଇରାନୀଙ୍କ ଜବାବ

ନୂଆଦିଲ୍ଲୀ: ଝିଅ ଉପରେ କଥା ଆସିବାରୁ କଂଗ୍ରେସକୁ ତାଗିଦ କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। କଂଗ୍ରେସ ମୁଖପାତ୍ର ପବନ ଖେଡା ସ୍ମୃତି ଇରାନୀଙ୍କ ଝିଅକୁ ନେଇ ଦେଇଥିବା ବୟାନ ପାଇଁ ଏବେ କଂଗ୍ରେସକୁ ଟ‌ାର୍ଗେଟ କରିଛନ୍ତି ସ୍ମୃତି। ସ୍ମୃତି ଇରାନୀ କହିଛନ୍ତି ଯେ ମୋ ଝିଅ କଲେଜରେ ଅଧ୍ୟୟନ କରେ ଏବଂ ସେ କୌଣସି ବାର୍ ଚଳାଏ ନାହିଁ। ପୂର୍ବରୁ ପବନ ଖେଡା ଅଭିଯୋଗ କରିଥିଲେ ଯେ, ସ୍ମୃତି ଇରାନୀଙ୍କ ଝିଅ ବାର୍ ଚଳାଉଛନ୍ତି।

ସ୍ମୃତି ଇରାନୀ କହିଛନ୍ତି ଯେ ଯେଉଁ ଝିଅକୁ ନେଇ ଏଭଳି ବୟାନ ଦେଉଛି କଂଗ୍ରେସ, ସେ ରାଜନୀତିଠାରୁ ବହୁ ଦୂରରେ। ମୁଁ ପବନ ଖେଡାଙ୍କୁ କହିବାକୁ ଚାହେଁ ଯେ ମୋର ୧୮ବର୍ଷର ଝିଅ କୌଣସି ବାର ଚଳାଉ ନାହିଁ। ସେ କଲେଜରେ ପଢ଼େ। ଆରଟିଆଇ ଆଧାରରେ ମୋ ଝିଅ ବାର ଚଳାଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ସେହି ଆରଟିଆଇରେ ମୋ ଝିଅର ନାଁ ଅଛି କି ବୋଲି ମୁଁ କଂଗ୍ରେସକୁ ପଚାରିବାକୁ ଚାହେଁ। ଗାନ୍ଧୀ ପରିବାର ଅମେଠିରେ ସେମାନଙ୍କୁ ମିଳିଥିବା ପରାଜୟକୁ ହଜମ କରିପାରିନାହିଁ, ତେଣୁ ଏଭଳି ଅଭିଯୋଗ କରୁଛନ୍ତି। ମୁଁ ଏହା ବିରୋଧରେ କୋର୍ଟକୁ  ଯିବି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ପବନ ଖେଡା ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ବାର୍ ଟି ସ୍ମୃତି ଇରାନୀଙ୍କର ୧୮ବର୍ଷର ଝିଅଙ୍କ ନାମରେ ଚାଲିଛି। ଏହା ପରେ କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ଯେ, ତୁରନ୍ତ ସ୍ମୃତି ଇରାନୀ ଇସ୍ତଫା ଦିଅନ୍ତୁ। ଆରଟିଆଇରୁ ସୂଚନା ପାଇବା ପରେ ଇରାନୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛୁ। ସେ ଗୋଆରେ ଏକ ରେଷ୍ଟୁରାଣ୍ଟ ଚଳାଉଛନ୍ତି ଏବଂ ୧୩ମାସ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ନାମରେ ରେଷ୍ଟୁରାଣ୍ଟର ନକଲି ଲାଇସେନ୍ସ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର