ରାହୁଲଙ୍କୁ ଜବାବ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି କେରଳର ତ୍ରିବେନ୍ଦ୍ରମଠାରେ ଦେଇଥିବା ମନ୍ତବ୍ୟ ବିବାଦୀୟ ହୋଇପଡ଼ିଛି। ଉତ୍ତର ଭାରତରୁ ସେ ୧୫ ବର୍ଷ ଧରି ସାଂସଦ ଥିଲେ। ଏହି ସମୟରେ ସେ ଏକ ଭିନ୍ନ ପ୍ରକାର ରାଜନୀତି ସହିତ ପରିଚିତ ଥିଲେ। କିନ୍ତୁ କେରଳ ଆସିବା ପରେ ଆନନ୍ଦ ଅନୁଭବ କରୁଛନ୍ତି। କାରଣ କେରଳରେ ଲୋକମାନେ ସମସ୍ୟା ବା ପ୍ରସଙ୍ଗ ଭିତ୍ତିକ ରାଜନୀତି କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। କେବଳ ଉପର ଠାଉରିଆ ଭାବେ ପ୍ରସଙ୍ଗକୁ ନଯାଇ ବିସ୍ତୃତ ଭାବେ ପ୍ରସଙ୍ଗ ସହିତ ଯୋଡ଼ି ହୋଇଥାନ୍ତି ବୋଲି ରାହୁଲ କହିଛନ୍ତି। ତେବେ ଆମେଥିରେ ଗତ ନିର୍ବାଚନରେ ତାଙ୍କୁ ପରାଜିତ କରିଥିବା ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ ଏହି ପ୍ରସଙ୍ଗରେ ଘେରିଛନ୍ତି। ସ୍ମୃତି କହିଛନ୍ତି, ରାହୁଲ ଗାନ୍ଧିଙ୍କ ଦ୍ବେଷପୂର୍ଣ୍ଣ ଏବଂ ପ୍ରତିଶୋଧ ପରାୟଣ ରାଜନୀତି କେବଳ ଆମେଥିର ଲୋକ ଓ ଭୋଟରଙ୍କୁ ଅପମାନିତ କରିନାହିଁ, ବରଂ ଉତ୍ତର ଏବଂ ଦକ୍ଷିଣ ଭାରତ ଭିତରେ ଏକ ବିଭାଜନ ସୃଷ୍ଟି କରିଛି। ତେଣୁ ରାହୁଲଙ୍କ ମନ୍ତବ୍ୟଙ୍କୁ ସବୁ ଭାରତୀୟ ନିନ୍ଦା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏଥିସହିତ ରାହୁଲ କେତେଦିନ ଦେଶବାସୀଙ୍କୁ ମିଛ କହିବେ, କେତେଦିନ ବିଭାଜନ ସୃଷ୍ଟି କରିବେ ଏବଂ ସମାଜରେ କେତେଦିନ ଧରି ଘୃଣାଭାବର ପ୍ରସାର କରିବେ ବୋଲି ସ୍ମୃତି ପଚାରିଛନ୍ତି। ଉତ୍ତର ଭାରତର ଲୋକଙ୍କ ସହିତ ରାହୁଲଙ୍କର ହୀନ ଭାବନା ରହିଥିଲେ ସେ କାହିଁକି ଏଠାରୁ ରାଜନୀତି କରୁଛନ୍ତି। ପ୍ରିୟଙ୍କା ଗାନ୍ଧି କାହିଁକି ଏପର୍ଯ୍ୟନ୍ତ ରାହୁଲଙ୍କ ବୟାନଙ୍କୁ ଖଣ୍ଡନ କରିନାହାନ୍ତି। ଗାନ୍ଧି ପରିବାର ଯେବେ‌ ଆମେଥି ଫେରିବେ ସେତେବେଳେ ସେମାନଙ୍କୁ ଏହି ମନ୍ତବ୍ୟର ଜବାବ ଦେବାକୁ ହେବ। ରାହୁଲ ଭୁଲି ଯାଉଛନ୍ତି ଯେ ସେ ଯେଉଁ ଉତ୍ତର ଭାରତର ଅପମାନ କରୁଛନ୍ତି ସେଠାରୁ ତାଙ୍କ ମାଆ ସୋନିଆ ସାଂସଦ ଅଛନ୍ତି। ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ରାହୁଲଙ୍କ ମନ୍ତବ୍ୟର ନିନ୍ଦା କରିଛନ୍ତି। ଏପରିକି କଂଗ୍ରେସ ନେତା ଆନନ୍ଦ ଶର୍ମା ଏବଂ କପିଲ ସିବଲ ମଧ୍ୟ ରାହୁଲଙ୍କ ମନ୍ତବ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର