ହୃଦରୋଗରେ ପୀଡ଼ିତ ଶିଶୁକୁ କୋଳେଇ ନେଇ ଗେଲ କରିବା ସହ ଚିକିତ୍ସା କରାଇବେ ବୋଲି କହିଲେ ସ୍ମୃତି ଇରାନୀ

ଅମେଠି: ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ନିଜ ରାଜନୈତିକ ଜୀବନରେ ଅନେକ କାରଣକୁ ନେଇ ଚର୍ଚ୍ଚିତ ହୋଇଥିବା ସ୍ମୃତି ଇରାନୀ ଏବେ ଏକ ହୃଦୟ ଜିତିବା ଭଳି କାମ କରିଛନ୍ତି। ବର୍ଷକର ଶିଶୁର ହୃଦରୋଗ ଥିବା ଜାଣି ଶିଶୁର ଚିକିତ୍ସା କରିବି ବୋଲି କହିଛନ୍ତି ସ୍ମୃତି ଇରାନୀ। କେନ୍ଦ୍ରମନ୍ତ୍ରୀ ତଥା ଅମେଠିରୁ ସାଂସଦ ଥିବା ସ୍ମୃତି ଇରାନୀ ଗସ୍ତର ଦ୍ୱିତୀୟ ଦିନରେ ନିଜ ନିର୍ବାଚନମଣ୍ଡଳୀ ଗୌରିଗଞ୍ଜରେ ପହଞ୍ଚିଥିଲେ। ଏହି ସମୟରେ ଜଣେ ପିତା ତାଙ୍କ ଅସୁସ୍ଥ ପୁଅକୁ କୋଳରେ ଧରି ସାଂସଦଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଯେତେବେଳେ ସେ ସାଂସଦ ସ୍ମୃତି ଇରାନୀଙ୍କୁ ତାଙ୍କ ପୁଅ ସିଦ୍ଧାନ୍ସଙ୍କ ହୃଦରୋଗ ବିଷୟରେ କହିଥିଲେ, ସେତେବେଳେ ସ୍ମୃତି ଇରାନୀ କେବଳ ପିଲାଟିକୁ ତାଙ୍କ କୋଳକୁ ନେଇ ନଥିଲେ ବରଂ ତାଙ୍କୁ ସାହାଯ୍ୟ କରିବେ ବୋଲି ମଧ୍ୟ କହିଥିଲେ।

ସୁନୀଲ କୁମାର ଅଗ୍ରହରୀ ହେଉଛନ୍ତି ଗୌରିଗଞ୍ଜର ବାସିନ୍ଦା। ତାଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ହୃଦରୋଗରେ ପୀଡ଼ିତ ଥିଲେ। ତାଙ୍କ ହୃଦୟର ଶିରା ଅବରୋଧ ହୋଇଥିବା ଡାକ୍ତରମାନେ କହିଥିଲେ। ସେ ପିଲାଟିକୁ ନେଇ ମୁମ୍ବାଇ ଯାଇଥିଲେ ମଧ୍ୟ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରିଲା ନାହିଁ।

ଯେତେବେଳେ ସ୍ମୃତି ଇରାନୀ ଏହି ପୁରା କାହାଣୀ ଶୁଣିଲେ, ସେ ପିଲାଟିକୁ ନିଜ କୋଳକୁ ନେଇ ଗେଲ କରିଥିଲେ ଏବଂ ସୁନୀଲଙ୍କୁ କହିଥିଲେ, ଦିଲ୍ଲୀ ଆସନ୍ତୁ। ପିଲାଟିର ଚିକିତ୍ସା ସେଠାରେ କରିବା। ତାଙ୍କର ଏଭଳି ପ୍ରତିଶ୍ରୁତିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଅସହାୟ ସୁନୀଲଙ୍କୁ ସାହାଯ୍ୟ କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର