ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରାଣସୀ ଲୋକସଭା ନିର୍ବାଚନ ମଣ୍ଡଳୀକୁ କଡ଼ା ସମାଲୋଚନା କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ମଦ ପିଇ ରାସ୍ତାରେ ଲୋକମାନେ ପଡ଼ିଥିବା ସେ ଦେଖିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ନିଜ ପୂର୍ବ ନିର୍ବାଚନ ମଣ୍ଡଳୀ ଆମେଥିରେ ଏକ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ମୁଁ ବାରାଣସୀ ଯାଇଥିଲି ଏବଂ ଦେଖିଲି ରାତିରେ ବାଦ୍ୟଯନ୍ତ୍ର ବଜାଯାଉଛି। ମଦ ପିଇ ଲୋକେ ରାସ୍ତାଉପରେ ପଡ଼ିଥିବା ଦେଖିବାକୁ ମିଳୁଛି। ରାତିରେ ମଦ ପିଇ ନାଚୁଛନ୍ତି ଉତ୍ତରପ୍ରଦେଶର ଭବିଷ୍ୟତ। ଅନ୍ୟପକ୍ଷରେ ରାମମନ୍ଦିର ରହିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ ମିଳିବ ଏବଂ ଅମ୍ବାନୀ ଓ ଆଦାନୀଙ୍କୁ ଦେଖିବାକୁ ମିଳିବ। ଆପଣ ଭାରତର ସମସ୍ତ କୋଟିପତିଙ୍କୁ ଦେଖିବେ କିନ୍ତୁ ଜଣେ ବି ପଛୁଆ କିମ୍ବା ଦଳିତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିବ ନାହିଁ।

Advertisment

କେନ୍ଦ୍ରମନ୍ତ୍ରୀ ତଥା ଆମେଥିର ବିଜେପି ସାଂସଦ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହ ତାଙ୍କ ଶିକ୍ଷାଦୀକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ମୃତି କହିଛନ୍ତି, ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟରୁ ଜଣାପଡୁଛି, ଉତ୍ତରପ୍ରଦେଶ ପାଇଁ ତାଙ୍କ ମନରେ କେତେ ବିଷ ରହିଛି। ସେ ୱାୟନାଡ଼ରେ ଉତ୍ତରପ୍ରଦେଶର ଭୋଟରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ରାମମନ୍ଦିରରେ ‘ପ୍ରାଣପ୍ରତିଷ୍ଠା’ ସମାରୋହର ନିମନ୍ତ୍ରଣକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ଗତକାଲି ସେ ବାରାଣସୀ ଏବଂ ଉତ୍ତରପ୍ରଦେଶର ଯୁବକମାନଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସର ଭବିଷ୍ୟତ ଅନ୍ଧାରରେ ଥିବା ବେଳେ ଉତ୍ତରପ୍ରଦେଶର ଭବିଷ୍ୟତ ବିକାଶ ଆଡ଼କୁ ଗତି କରୁଛି। ସୋନିଆ ଗାନ୍ଧୀଙ୍କୁ ମୋର ପରାମର୍ଶ ଯେ ଯଦି ସେ ତାଙ୍କ ପୁଅକୁ ଭଲ ଶିକ୍ଷାଦୀକ୍ଷା ଦେଇପାରିବେ ନାହିଁ, ତେବେ ଅନ୍ତତଃ ତାଙ୍କୁ ମନ୍ତବ୍ୟ ନ ଦେବାକୁ କୁହନ୍ତୁ ବୋଲି ଇରାନୀ କହିଛନ୍ତି।

ଉତ୍ତରପ୍ରଦେଶ ମନ୍ତ୍ରୀ ଦିନେଶ ପ୍ରତାପ ସିଂହ ମଧ୍ୟ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହ ସେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ଭାରତୀୟ ସଂସ୍କୃତିକୁ ବିଶ୍ୱ ପାଖରେ ପହଞ୍ଚାଇବା ପାଇଁ କେନ୍ଦ୍ର ପକ୍ଷରୁ ପ୍ରୟାସ ଚାଲିଥିବା ବେଳେ ଏଭଳି ବୟାନ ଶୁଣିବା ଦୁଃଖଦାୟକ। ଆମ ସଂସ୍କୃତି ସର୍ବସାଧାରଣରେ ମଦ୍ୟପାନ କରିବାକୁ ଅନୁମତି ଦିଏ ନାହିଁ। ମୁଁ କହିପାରିବି ଯେ ମୋ ପରିବାରରେ କେହି ସର୍ବସାଧାରଣରେ ମଦ୍ୟପାନ କରନ୍ତି ନାହିଁ, କିନ୍ତୁ ରାହୁଲ ଗାନ୍ଧୀ ଏହା କହିପାରିବେ କି? ଏଭଳି ମନ୍ତବ୍ୟ ପାଇଁ ସେ କ୍ଷମା ମାଗିବା ଦରକାର ବୋଲି ସେ କହିଛନ୍ତି।