୧୫ବର୍ଷ ଧରି ଆମେଠିକୁ ଅଣଦେଖା କରିଥିଲେ ରାହୁଲ: ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ଆମେଠିରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ଆମେଠିର ବିକାଶକୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି।

କେନ୍ଦ୍ରରେ ସରକାର ତାଙ୍କ ମା’ ସୋନିଆ ଗାନ୍ଧିଙ୍କର ଥିଲା ଏବଂ ୟୁପିରେ ତାଙ୍କୁ ସମର୍ଥନ ମିଳିଥିଲା। କିନ୍ତୁ ରାହୁଲ ଗାନ୍ଧି କେବେ ଆମେଠିର ବିକାଶ ବିଷୟରେ ଚିନ୍ତା କରି ନଥିଲେ ବୋଲି ଇରାନୀ ତାଙ୍କ ବାସଭବନରେ ଯାଦବ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କାଳରେ କହିଛନ୍ତି।

ରାହୁଲ ଗାନ୍ଧିଙ୍କ ବିରୋଧରେ ଆକ୍ରମଣ ଜାରି ରଖି ବିଜେପି ନେତ୍ରୀ କହିଛନ୍ତି ଯେ ଯେତେବେଳେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ତାଙ୍କୁ ପଚାରିଲେ ଯେ ସେ ୱାୟନାଡରୁ କାହିଁକି ନିର୍ବାଚନ ଲଢୁଛନ୍ତି, ସେ ଉତ୍ତର ଦେଇଥିଲେ ଯେ ୱାୟନାଡର ଲୋକମାନେ ଅଧିକ ବିଶ୍ୱସ୍ତ। ‘ମୁଁ ପଚାରିବାକୁ ଚାହୁଁଛି, ଯେଉଁ ଅଞ୍ଚଳରୁ ସେ ୧୫ ବର୍ଷ ଧରି ସାଂସଦ ଥିଲେ ସେହି ଅଞ୍ଚଳର ଲୋକମାନେ କ’ଣ ବିଶ୍ୱସ୍ତ ନୁହଁନ୍ତି? ସେମାନେ କ’ଣ ଦେଶଦ୍ରୋହୀ?’ ଇରାନୀ ପଚାରିଛନ୍ତି।

ଇରାନୀ ୨୦୧୯ ନିର୍ବାଚନରେ ଆମେଠିରେ ରାହୁଲ ଗାନ୍ଧିଙ୍କୁ ପରାସ୍ତ କରିଥିଲେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ଏପର୍ଯ୍ୟନ୍ତ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିନାହିଁ।

ଇରାନୀ କହିଛନ୍ତି ଯେ ଗାନ୍ଧୀ ପରିବାର, ବିଶେଷ କରି ରାହୁଲ ଗାନ୍ଧୀ ଚାହୁଁଥିଲେ ଯେ ଆମେଠିର ଲୋକମାନେ ଗରିବ ରୁହନ୍ତୁ। ସେଥିପାଇଁ ଜଣେ ଗରିବଙ୍କ ପୁଅ ଭାରତର ପ୍ରଧାନ ସେବକ ହେଲେ ସେମାନେ ଏହାକୁ ହଜମ କରିପାରୁ ନାହାଁନ୍ତି। ଆମେଠି ସାଂସଦ କହିଛନ୍ତି, ଦାରିଦ୍ର୍ୟର ସମ୍ମୁଖୀନ ହୋଇ ଦେଶର ପ୍ରଧାନ ସେବକ ପାଲଟିଥିବା ନରେନ୍ଦ୍ର ମୋଦୀଙ୍କ କଠିନ ପରିଶ୍ରମ, ନିଷ୍ଠା ଓ ସଚ୍ଚୋଟତା ବଳରେ ସମସ୍ତଙ୍କ ଆଶୀର୍ବାଦରେ ପ୍ରଧାନମନ୍ତ୍ରୀ ହୋଇଥିବା ମୋଦୀଙ୍କୁ ଗ୍ରହଣ କରିପାରୁ ନାହାନ୍ତି କଂଗ୍ରେସ କିମ୍ବା ଗାନ୍ଧି ପରିବାର।

ଇରାନୀ କହିଛନ୍ତି ଯେ ଯଦି ଆମେ ରାହୁଲ ଗାନ୍ଧିଙ୍କ ୧୫ ବର୍ଷ ଏବଂ ସାଂସଦ ଭାବରେ ତାଙ୍କର ୫ ବର୍ଷକୁ ଦେଖୁ, ତେବେ ଗାନ୍ଧି ପରିବାର କିପରି ଆମେଠିକୁ ଅବହେଳା କରିଥିଲେ ତାହା ଜଳ ଜଳ ହୋଇ ଦୃଶ୍ୟମାନ ହେଉଛି। କଂଗ୍ରେସ ଯାହା ୫୦ ବର୍ଷ ମଧ୍ୟରେ କରିନାହିଁ ଏବଂ ରାହୁଲ ଗାନ୍ଧି ୧୫ ବର୍ଷରେ ଯାହା କରିନାହାନ୍ତି, ତାହା ୫ ବର୍ଷରେ ଆମେଠିରେ ଡବଲ ଇଞ୍ଜିନ ସରକାର କରିଛନ୍ତି।

ସମ୍ବନ୍ଧିତ ଖବର