ଏନ୍‌ସିବିର ନିୟମିତ ଡିଜି ହେଲେ ଏସ୍‌ଏନ୍‌ ପ୍ରଧାନ

ନୂଆଦିଲ୍ଲୀ : ୧୯୮୮ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡର୍‌ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମହାନିର୍ଦ୍ଦେଶକ (ଡିଜି) ରୂପେ ନିଯୁକ୍ତି ମିଳିଛି। ପୂର୍ବରୁ ଅତିରିକ୍ତ ଦାୟିତ୍ବରେ ଥିବା ଶ୍ରୀ ପ୍ରଧାନଙ୍କୁ କେନ୍ଦ୍ର ସରକାର ନିୟମିତ ତଥା ପୂର୍ଣ୍ଣକାଳୀନ ନିଯୁକ୍ତି ଦେଇଛନ୍ତି। ପରବର୍ତ୍ତୀ ଆଦେଶ କିମ୍ବା ତାଙ୍କର ଅଗଷ୍ଟ ୩୧, ୨୦୨୪ ଅବସର ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ବୋଲି ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆର୍‌ଏଫ୍‌) ଡିଜି ପଦରୁ ଶ୍ରୀ ପ୍ରଧାନଙ୍କୁ ତୁରନ୍ତ ରିଲିଭ୍‌ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ ମଙ୍ଗଳବାର କେନ୍ଦ୍ର ସରକାର ଏନ୍‌ଡିଆର୍‌ଏଫ୍‌ ନୂତନ ଡିଜି ଭାବେ ବରିଷ୍ଠ ଆଇପିଏସ୍‌ ଅତୁଲ କରୱାଲଙ୍କୁ ନିଯୁକ୍ତି ଦେଇଛନ୍ତି। ଏନ୍‌ସିବି ଡିଜି ଥିବା ତଥା ବରିଷ୍ଠ ଆଇପିଏସ୍‌ ରାକେଶ ଆସ୍ଥାନା ଦିଲ୍ଲୀ ପୋଲିସ କମିସନର୍‌ ଭାବେ ନିଯୁକ୍ତ ହେବା ପରେ ତାଙ୍କ ସ୍ଥାନରେ ଶ୍ରୀ ପ୍ରଧାନଙ୍କୁ ଏନ୍‌ସିବିର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା।

ଏନ୍‌ଡିଆର୍‌ଏଫ୍‌ ଡିଜି ଭାବେ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟ ଅତି ଉଚ୍ଚକୋଟୀର ଥିଲା। ତାଙ୍କ କାର୍ଯ୍ୟଦକ୍ଷତା ଉପରେ ଆସ୍ଥା ରଖି କେନ୍ଦ୍ର ସରକାର ତାଙ୍କୁ ଏନ୍‌ସିବି ଭଳି ଏକ ପ୍ରମୁଖ ସଂସ୍ଥାର ମୁଖ୍ୟ ରୂପେ ନିଯୁକ୍ତି ଦେଇଛନ୍ତି। ଏନ୍‌ସିବି ଡିଜି ଭାବେ ଶ୍ରୀ ପ୍ରଧାନ ନିଶାମୁକ୍ତ ଭାରତ ପାଇଁ ତାଙ୍କ ପ୍ରୟାସ ଜାରି ରଖିବେ ବୋଲି ଗଣମାଧ୍ୟମକୁ ତାଙ୍କ ଆଭିମୁଖ୍ୟ ଦୋହରାଇଛନ୍ତି। ଏହି ସମସ୍ୟାର ମୂଳୋତ୍ପାଟନ ତାଙ୍କର ପ୍ରାଥମିକତା ହେବ। ପିଲାମାନେ ଯେଭଳି ନିଶାଆଡ଼େ ମୁହାଁଇବେ ନାହିଁ ସେ ନେଇ ଦେଶର ବିଭିନ୍ନ ସ୍ଥାନରୁ ଅଭିଭାବକମାନେ ତାଙ୍କୁ ଇ-ମେଲ ଓ ମେସେଜ୍‌ ଜରିଆରେ ଅନୁରୋଧ କରିଛନ୍ତି। ଚଳଚ୍ଚିତ୍ର ଅଭିନେତା ଶାହାରୁଖ ଖାନଙ୍କ ପୁଅ ଡ୍ରଗ୍ସ ମାମଲା‌ରେ ଫସିବା ପର ଠାରୁ ଦେଶରେ ଡ୍ରଗ୍‌ସ କାରବାରକୁ ନେଇ ସରଗରମ ଆଲୋଚନା ଚାଲିଛି। ଅଭିଯୁକ୍ତମାନଙ୍କୁ ଧରିବା ଏନ୍‌ସିବିର ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି ସେ ପୂର୍ବରୁ କହିଥିଲେ।

ସମ୍ବନ୍ଧିତ ଖବର