ନୂଆଦିଲ୍ଲୀ: ଆଇପିଏସ୍‌ ଏସ୍‌. ଏନ୍‌. ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ପୁଲିସ କମିସନର୍‌ ଭାବେ ନିଯୁକ୍ତି ଦିଆଯାଇଥିବା କଥା ଆଜି ଗୃହ ବ୍ୟାପାର ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ହିଂସାକାଣ୍ଡ ଯୋଗୁଁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାକୁ ତାଙ୍କୁ ସ୍ୱତନ୍ତ୍ର ପୁଲିସ କମିସନର୍‌ ଭାବେ ଅଣାଯାଇଥିଲା।

Advertisment

ଏହା ପୂର୍ବରୁ ସେ ସିଆର୍‌ପିଏଫ୍‌ରେ ସ୍ୱତନ୍ତ୍ର ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଉ ଥିଲେ। ଶ୍ରୀବାସ୍ତବଙ୍କର ଦିଲ୍ଲୀ ପୁଲିସର ବିଭିନ୍ନ ୟୁନିଟ୍‌ରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି।

ରବିବାର ଦିନ ସେ ଦିଲ୍ଲୀ ନୂତନ ପୁଲିସ କମିସନର୍‌ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏବେ ଦିଲ୍ଲୀ ପୁଲିସ କମିସନର ଥିବା ଅମୂଲ୍ୟ ପଟ୍ଟନାୟକ ଅବସର ଗ୍ରହଣ କରିବାର ଦିନକ ପରେ ସେ ଦାୟିତ୍ୱ ନେବେ। ଅର୍ଥାତ୍‌ ଫେବ୍ରୁଆରି ୨୯ ତାରିଖ ଦିନ ଅମୂଲ୍ୟ ପଟ୍ଟନାୟକଙ୍କ ଚାକିରି କାର୍ଯ୍ୟକାଳ ଶେଷ ହେବ।

publive-image Image Source: India Today

ଶ୍ରୀବାସ୍ତବ ହେଉଛନ୍ତି ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ୍‌ ଏବଂ କେନ୍ଦ୍ରଶାସିତ କ୍ୟାଡର୍‌ର ୧୯୮୫ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ। ଆସନ୍ତା ବର୍ଷ ଜୁନ୍‌ରେ ଶ୍ରୀବାସ୍ତବ ଅବସର ଗ୍ରହଣ କରିବେ।

ପୁଲିସ କମିସନର୍‌ ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ଉତ୍ତରପୂର୍ବ ଦିଲ୍ଲୀରେ ଭୟାବହ ସାମ୍ପ୍ରଦାୟିକ ଦଙ୍ଗା ଯୋଗୁଁ ୩୮ଜଣଙ୍କ ପ୍ରାଣହାନୀ ହେବା ପରେ ପୁଲିସ ତୀବ୍ର ସମାଲୋଚନାର ସରବ୍ୟ ହୋଇଛି। ହିଂସାକାଣ୍ଡ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଥିବା ପୁଲିସକୁ ଅଦାଲତ ମଧ୍ୟ ଭର୍ତ୍ସନା କରିଛନ୍ତି।

‘ସିଏଏ’ ବିରୋଧୀ ଏବଂ ସମର୍ଥକମାନଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବାରେ ପୁଲିସ ଅସମର୍ଥ ହୋଇଥିଲା। ଉତ୍ତ୍ୟକ୍ତ ଜନତା ଘର, ଦୋକାନ, ଯାନବାହାନ, ପେଟ୍ରୋଲ୍‌ ପମ୍ପ୍‌ ଆଦି ପୋଡ଼ି ପକାଇଥିଲେ। ସ୍ଥାନୀୟ ବାସିନ୍ଦା ଓ ପୁଲିସ କର୍ମଚାରୀମାନଙ୍କ ଉପରକୁ ମଧ୍ୟ ସେମାନେ ଟେକାପଥର ଫିଙ୍ଗିଥିଲେ।