ସାପକାମୁଡ଼ା ମୃତ୍ୟୁକୁ ପ୍ରାକୃତିକ ଦୁର୍ବିପାକ ରିଲିଫ୍‌ ତାଲିକାଭୁକ୍ତ କଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ: ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠି ଜରିଆରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଅନୁକମ୍ପା ସହାୟତା ପାଇବା ଯୋଗ୍ୟତାର ପ୍ରକାର ଭେଦ ବଢ଼ାଇଛନ୍ତି। କାହାର ମଣିଷ-ପଶୁ ଲଢ଼େଇ, ସର୍ପଦଂଶନ, ନୌକା ଦୁର୍ଘଟନା, ନର୍ଦ୍ଦମା ସଫେଇ କିଂବା ଗ୍ୟାସ୍‌ ଲିକ୍‌ ଯୋଗୁଁ ଶ୍ୱାସରୁଦ୍ଧଜନିତ ମୃତ୍ୟୁ ଘଟିଲେ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ସେମାନଙ୍କ ଆତ୍ମୀୟ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ।

ଏଭଳି ବିୟୋଗାନ୍ତ ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାର ଏବେ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପାଇବେ ବୋଲି ରାଜ୍ୟ ରିଲିଫ୍‌ କମିସନର୍‌ ସଞ୍ଜୟ କୁମାର କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ମୃତ୍ୟୁଞ୍ଜୟ କୁମାର କହନ୍ତି: ମୌସୁମୀ ବର୍ଷା କାଳରେ ଘରଭୁଶୁଡ଼ା ଓ ସାପକାମୁଡ଼ା ଯୋଗୁଁ ଅନେକ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିବା ଘଟଣା ଆଦିତ୍ୟନାଥଙ୍କୁ ବ୍ୟଥିତ କରିଛି। ଅଭାବୀମାନଙ୍କୁ ସହାୟତା କରିବା ଏ ନିଷ୍ପତ୍ତିର ଉଦ୍ଦେଶ୍ୟ। ବିଭିନ୍ନ କାରଣ ଜନିତ ମୃତ୍ୟୁ ଲାଗି ପ୍ରଦତ୍ତ ସହାୟତା ପାଇଁ ଏକ ନୀତି ନିର୍ଦ୍ଧାରଣ କରାଯିବ।

ଏ ସଂକ୍ରାନ୍ତରେ ସରକାର ବିଜ୍ଞପ୍ତି ଜାରି କରି ସାରିଛନ୍ତି।

ରାଜ୍ୟର ୨୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସର୍ପଦଂଶନରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରିବାକୁ ତାଲିମ ଦେଉଥିବା ବରିଷ୍ଠ ମେଡିକାଲ୍‌ ଅଫିସର୍‌ ଡାକ୍ତର ସାମ୍‌ ମୀସମ୍‌ କହନ୍ତି, ବର୍ଷାଋତୁରେ ଏ ଭଳି ପ୍ରତ୍ୟେକ ୟୁନିଟ୍‌ରୁ ପ୍ରତି ମାସରେ ୫ ରୁ ୧୦ଟି ସାପକାମୁଡ଼ା କେସ୍‌ ଆସୁଛି।

ସମ୍ବନ୍ଧିତ ଖବର