କଲମ୍ବୋ: ଦିନିକିଆ ବିଶ୍ୱକପ୍ ସମୟରେ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଭାରତୀୟ ମହିଳା କ୍ରିକେଟ ଦଳର ଅଭ୍ୟାସ ଅଧିବେଶନରେ ଏକ ସାପ ପଶି ଆସିଥିଲା। ଶୁକ୍ରବାର ସନ୍ଧ୍ୟାରେ ଦଳ ଅଭ୍ୟାସ କରୁଥିବା ସମୟରେ ଏକ ସାପ ଷ୍ଟାଡିୟମ ଚାରିପାଖରେ ଘୁରି ବୁଲୁଥିବାର ଦେଖାଯାଇଥିଲା।
ସିଂହଳୀ ଭାଷାରେ "ଗାରାଣ୍ଡିଆ" ନାମକ ଏହି ସାପଟି ପଡ଼ିଆରେ ଦେଖାଯିବା ନୂଆ କଥା ନୁହେଁ। ଚଳିତ ବର୍ଷ ଜୁଲାଇରେ ଲଙ୍କା ପ୍ରିମିୟର ଲିଗ୍ ଏବଂ ଶ୍ରୀଲଙ୍କା-ବାଂଲାଦେଶ ଏକଦିବସୀୟ ମ୍ୟାଚ୍ ସମୟରେ ମଧ୍ୟ ଏହାକୁ ଦେଖାଯାଇଥିଲା।
ଜଣେ ଗ୍ରାଉଣ୍ଡସମ୍ୟାନ୍ କହିଥିଲେ, ଏହା ବିଷାକ୍ତ ନୁହେଁ ଏବଂ କାମୁଡ଼େ ନାହିଁ। ଏହା ଏକ ଗରାଣ୍ଡିଆ ସାପ। ମୂଷା ଖୋଜି ଖୋଜି ଏହା ପଡ଼ିଆକୁ ପଶିଯାଇଛି।। ଶୁକ୍ରବାର, ଭାରତୀୟ ଖେଳାଳିମାନେ ମିଡ୍-ୱିକେଟରୁ ନେଟ୍ସ ଆଡକୁ ଯାଉଥିବା ସମୟରେ ଡ୍ରେନ୍ ଏବଂ ଷ୍ଟାଣ୍ଡ ନିକଟରେ ବାଦାମୀ ରଙ୍ଗର ସାପଟି ଯାଉଥିବା ଦେଖାଯାଇଥିଲା।
ଭୟଭୀତ ହେବା ପରିବର୍ତ୍ତେ ଭାରତୀୟ ଖେଳାଳିମାନେ ଆଗ୍ରହର ସହିତ ସାପକୁ ଦେଖୁଥିଲେ। ସେମାନଙ୍କ ସହିତ ସହାୟକ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଥିଲେ। ରବିବାର ଏଠାରେ ମହିଳା ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ଭେଟିବାକୁ ଯାଉଛି। ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ରେ ସହ-ଆୟୋଜକ ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିଥିଲା।