ରାୟପୁର: ଦୀର୍ଘ ୧୦୪ ଘଣ୍ଟାର ପ୍ରଚେଷ୍ଟା ପରେ ମଙ୍ଗଳବାର ରାତିରେ ୮୦ ଫୁଟ୍ର ବୋରୱେଲ୍ରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା କୁନି ପୁଅ ରାହୁଲ। ଆପଣ ଜାଣିଥିବେ ନିଶ୍ଚୟ ଯେ ରାହୁଲ୍ ବୋର୍ୱେଲ୍ରେ ଏକା ନଥିଲା। ତା’ ସହ ଏକ ସାପ ବି ରହିଥିଲା ସେହିଠାରେ। ଲୋକେ ଭୟଭୀତ ହେବେ ବୋଲି ପ୍ରଶାସନ କ୍ୟାମେରାରେ ସାପର ଚିତ୍ର ଦେଖି ମଧ୍ୟ ପ୍ରଘଟ କରି ନଥିଲା। ତେବେ ସବୁଠାରୁ ଚମତ୍କାର କଥା ହେଉଛି ରାହୁଲ ବୋର୍ୱେଲ୍ ଭିତରେ ୧୦୪ ଘଣ୍ଟା ଧରି ସାପ ସହ ରହିଥିଲେ ମଧ୍ୟ ସାପ କାମୁଡ଼ି ନଥିଲା। ଏ ନେଇ ସୂଚନା ଦେଇଛନ୍ତି ରାହୁଲଙ୍କ ଚିକିତ୍ସା କରୁଥିବା ବିଳାସପୁର ଆପୋଲୋ ହସ୍ପିଟାଲ୍ର ଡାକ୍ତର ଇନ୍ଦିରା ମିଶ୍ରା।
ରାହୁଲର ସ୍ବାସ୍ଥ୍ୟ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି, ‘ରାହୁଲକୁ ସାପ କାମୁଡିନି। ରାହୁଲ ଦେହରେ ସାପ କାମୁଡ଼ା ଚିହ୍ନ ମଧ୍ୟ ନାହିଁ। ରକ୍ତ ପରୀକ୍ଷାର ରିପୋର୍ଟ ଆସିସାରିଛି। ଆମେ ସ୍ପଷ୍ଟ ହୋଇ ସାରିଛୁ ଯେ ରାହୁଲକୁ ସାପ କାମୁଡ଼ି ନାହିଁ। ରାହୁଲ୍ ଏବେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି। ଦେହରେ କିଛି ବେକ୍ଟ୍ରିଆ ଅଛି ସେଥିପାଇଁ ତାକୁ ଇଞ୍ଜେକସନ ମଧ୍ୟ ଦିଆଯାଉଛି।’
ଗତକାଲି ଡାକ୍ତର ମିଶ୍ରା ରାହୁଲଙ୍କ ସ୍ବାସ୍ଥାବସ୍ଥା ସ୍ଥିର ଥିବା କଥା କହିଥିଲେ। ରାହୁଲ ଏବେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଛି। ରାହୁଲର ସ୍ବାସ୍ଥାବସ୍ଥା ସୁଧୁରିବାରୁ ସେ ଏବେ କଠିନ ଖାଦ୍ୟ ଖାଇବା ଆରମ୍ଭ କଲାଣି। ଯଦିଓ ରାହୁଲ ଦେହରେ ଆଉ ଜ୍ବର ନାହିଁ, ସଂକ୍ରମଣରୁ ସେ ପୂରା ମୁକ୍ତ ନୁହେଁ ବୋଲି ଡାକ୍ତର ସୂଚନା ଦେଇଥିଲେ।
ରାହୁଲଙ୍କ ବାପା ପୂର୍ବରୁ ଗଣମାଧ୍ୟମରେ ସୂଚନା ଦେଇ କହି ସାରିଛନ୍ତି ଯେ ରାହୁଲ ଉପରେ ସବୁବେଳେ ପ୍ରଭୁ ଜଗନ୍ନାଥଙ୍କ କୃପା ଦୃଷ୍ଟି ରହିଛି। ସାପ ସହ ୫ ଦିନ କାଟି ମଧ୍ୟ ରାହୁଲକୁ ସାପ କାଟିନାହିଁ। ଏହା ସେହି କାଳିଆ ଠାକୁର ଛଡ଼ା କାହାର ବା ମହିମା ହୋଇପାରେ!